ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଜରିମାନା। ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକଟ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଶୁକ୍ରବାର ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ମାସ୍କ ନ ପିନ୍ଧିଲେ ଅମାନିଆମାନଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁକ୍ରବାର ରାଜ୍ୟ ସରକାର ଏପିଡେମିକ୍ ଆକ୍ଟ ୧୮୯୭ରେ ସଂଶୋଧନ କରିଛନ୍ତି। ଏହି ଆକ୍ଟ ଅନୁସାରେ ପୂର୍ବରୁ ରାଜ୍ୟରେ କରୋନା ନିୟମ ଉଲ୍ଲଙ୍ଘନ କଲେ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା। କିନ୍ତୁ ଏବେ ଏହାକୁ ଦୁଇ ଗୁଣ କରାଯାଇ ୨ ହଜାର ଟଙ୍କା କରାଯାଇଛି।ନୂଆ ନିୟମ ଅନୁସାରେ ଏଣିକି ଯେଉଁମାନେ କରୋନା ନିୟମ ଯେପରିକି ଠିକ୍ ଭାବେ ମାସ୍କ ନପିନ୍ଧିବା ବା ସମ୍ପୂର୍ଣ୍ଣ ମାସ୍କ ନପିନ୍ଧିବା , ସାମାଜିକ ଦୂରତା ପାଳନ ନକରିବା, କର୍ଫ୍ୟୁ ସମୟରେ ବାହାରେ ବୁଲିବା ଇତ୍ୟାଦି ଉଲ୍ଲଙ୍ଘନ କରିବେ ସେମାନେ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨ ହଜାର ଟଙ୍କା ଜରିମାନା ଦେବେ। ସେହିପରି ଯଦି ଅମାନିଆମାନେ ପ୍ରଥମ ଏବଂ ଦ୍ଵିତୀୟଥରରେ ମଧ୍ୟ ଚେତିବେ ନାହିଁ, ତେବେ ସେମାନଙ୍କଠାରୁ ତୃତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ଦ୍ୱିତୀୟ ଲହର କରୋନା ସଂକ୍ରମଣ ଶୀଘ୍ର ବ୍ୟାପୁଛି। ବିଭିନ୍ନ ରାଜ୍ୟ ଲକଡାଉନ, ନାଇଟ କର୍ଫ୍ୟ ଭଳି କଟକଣା ଆପଣେଇଲେଣି। ଆମେ କୋଭିଡ ନିୟମ ମାନିଲେ ସଂକ୍ରମଣକୁ ରୋକିପାରିବା। ଏଣୁ ଆଗାମୀ ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିବା। ବିନା ମାସ୍କରେ ଘରୁ ବାହାରିବା ନାହିଁ ବୋଲି ସଂକଳ୍ପ ନେବା‘‘।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମାସ୍କ ବେକରେ ଝୁଲାଇ ନୁହେଁ ମୁହଁରେ ସମସ୍ତେ ପିନ୍ଧନ୍ତୁ। ବାହାରେ ସରକାର ଜଗିଛନ୍ତି, ଘରେ ମା’ମାନେ ଜଗନ୍ତୁ। ପରିବାର ଲୋକ ବାହାରକୁ ଯାଉଥିଲେ ପ୍ରଥମେ ତାଙ୍କୁ ମାସ୍କ ପିନ୍ଧି ଯିବାକୁ କହନ୍ତୁ। ମା’ମାନେ ସତର୍କ ହେଲେ କରୋନା ଘରକୁ ଆସିପାରିବନି।

କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୧୨୮୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୭୫୫ ଜଣ ହୋଇଥିବାବେଳେ, ୫୨୭ଟି ଲୋକାଲ୍ କେସ୍ ରହିଛି। କମ୍ ସମୟ ମଧ୍ୟରେ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ, ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି।

Comment