ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଦୂର ଆମେରିକାରେ ପାଳନ ହେଲା ଉତ୍କଳ ଦିବସ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ଉତ୍କଳ ଦିବସକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି।

ଓଡ଼ିଆ ସୋସାଇଟ୍ ଅଫ୍ ଆମେରିକାର ଅଧ୍ୟକ୍ଷ କୁକୁ ଦାସଙ୍କ ତତ୍ତ୍ୱାବଧାନରେ ଉତ୍କଳ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଡିଜିଟାଲ୍ ମାଧ୍ୟମରେ ଲୋକମାନେ ପରସ୍ପରକୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଓସାର ସଭାପତି କୁକୁ ଦାସ ତାଙ୍କୁ ଅବିବାଦନ ଜଣାଇ କାର୍ଯ୍ୟକ୍ରମକୁ ସ୍ଵାଗତ କରିବା ସହ ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟକୁ ଶ୍ରୀଯୁକ୍ତ ସାହୁ କିଭଳି ଭାବେ ବଞ୍ଚାଇ ରଖିଛନ୍ତି ସେ ବିଷୟରେ ଦର୍ଶକମାନଙ୍କୁ କହିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଚଳିତ ବର୍ଷ କାର୍ଯ୍ୟକ୍ରମଟି ଟିକେ ନିଆରା ଥିଲା। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ପ୍ରବାସରେ କରାଯାଉଥିବା ଓଡ଼ିଆ ବିଦ୍ୟାଳୟର ଉପସ୍ଥାପନା। ୯ଟି ଓଡ଼ିଆ ବିଦ୍ୟାଳୟ ଯୋଗ ଦେଇଥିଲେ। ପିଲାଙ୍କଠୁ ନେଇ ଯୁବପିଢ଼ି କିଭଳି ଭାବରେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ନିଜ ଭିତରେ ଉଜ୍ଜୀବିତ ରଖିବା ପାଇଁ ତତ୍ପର ହୋଇଉଠିଛନ୍ତି ତାହା ଥିଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ।ଏହି ଅବସରରେ ସମସ୍ତ ଓଡ଼ିଆ ବିଦ୍ୟାଳୟଗୁଡିକରେ କିଭଳିଭାବେ ପଢ଼ାହେଉଛି ସେ ବିଷୟରେ ଏକ ପ୍ରଚ୍ଛଦପଟଟିଏ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରାୟ ୨୦୦ ପିଲା ଯୋଗ ଦାନ ଦେଇ ଇତିହାସର ପୃଷ୍ଠା ଅବଲୋକନ କରି ଓଡ଼ିଶାର ଗାଥାକୁ ବୀର ପୁରୁଷଙ୍କ ବଳିଦାନକୁ ମନେପକାଇଥିଲେ ଏବଂ ନିଜକୁ ଜଣେ ଓଡ଼ିଆ ଭାବେ ଗର୍ବିତ ବୋଲି କହିଥିଲେ।

ପ୍ରତି ବିଦ୍ୟାଳୟକୁ ଗୋଟିଏ ଗୋଟିଏ ବିଷୟ ଯେପରି ସ୍ୱାଧୀନତା ସଂଗ୍ରାମୀ, କବି ଓ ଲେଖକ, ଓଡ଼ିଶାର ପର୍ବ ପର୍ବାଣି, ଓଡ଼ିଶାର ଦର୍ଶନୀୟ ସ୍ଥାନ ଇତ୍ୟାଦିରେ ନିଜର ଭାବନା ଉପସ୍ଥାପନା କରିବାପାଇଁ କୁହାଯାଇଥିଲା। ଏହାପରେ ଯୁବପିଢିଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରାଯାଇଥିଲା।

ସାନ୍ତ୍ୱନା ଦାଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟକୁ ସଞ୍ଚାଳନ କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଗଗନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comment