ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିଥିବା କରୋନା ଭୂତାଣୁ ଦ୍ୱାରା ଯେ କେହି ସଂକ୍ରମିତ ହେବାର ଆଶଙ୍କା ରହିଛି। ହେଲେ, ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ସଂକ୍ରମଣ ଯୋଗୁଁ ପରିସ୍ଥିତି ଜଟିଳ ହେବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଏହା ମରଣାନ୍ତକ ପ୍ରମାଣିତ ହୋଇପାରେ।

‘ଦ ଲାନ୍‌ସେଟ୍‌’ ଜର୍ଣ୍ଣାଲ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ବ୍ୟକ୍ତି ବ୍ଲଡ୍‌ପ୍ରେସର୍‌, ଡାଇବେଟିସ୍ ଭଳି ରୋଗରେ ପୀଡ଼ିତ, କରୋନାରେ ସଂକ୍ରମିତ ହେଲେ ଅନ୍ୟ ସଂକ୍ରମିତଙ୍କ ତୁଳନାରେ ସେମାନଙ୍କ ପ୍ରତି ଅଧିକ ବିପଦ ରହିଥାଏ। ଏଣୁ ଏହି ରୋଗୀମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ସତର୍କ ରହିବାକୁ ହେବ। ଡାଇବେଟିସ୍ ରୋଗୀ କରୋନା ସଂକ୍ରମଣ ସମୟରେ କିଭଳିି ସତର୍କ ରହିବେ, ଚାଲନ୍ତୁ ସେ ବିଷୟରେ ଜାଣିବା।

କୋଭିଡ୍‌-୧୯ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଡାଇବେଟିସ୍ ରୋଗୀ କେଉଁ ସବୁ ସତର୍କତା ଅବଲମ୍ବନ କରିବା ଉଚିତ?

ଜଣେ ସାଧାରଣ ବ୍ୟକ୍ତି ଯେଉଁ ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତି, ଜଣେ ଡାଇବେଟିସ୍ ରୋଗୀକୁ ମଧ୍ୟ ସେହି ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ହେବ । ଯେପରି-

  • ବାରମ୍ବାର ନିଜ ହାତକୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ଘଷି ଘଷି ଧୁଅନ୍ତୁ ବା ୬୦% ଆଲ୍‌କହଲ୍‌ ଯୁକ୍ତ ସାନିଟାଇଜର୍‌ ହାତରେ ରଗଡନ୍ତୁ ।
  • ବାରମ୍ବାର ହାତରେ ମୁହଁ, ନାକ, ଆଖିକୁ ସ୍ପର୍ଶ କରନ୍ତୁ ନାହିଁ ।
  • ଛିଙ୍କିବା ଓ କାଶିବା ବେଳେ ନିଜ ମୁହଁରେ ଟିସୁ ପେପର୍‌ ବା କପଡା ରଖନ୍ତୁ। ଏସବୁ ଉପଲବ୍ଧ ନଥିଲେ ନିଜ ହାତକୁ ବୁଲାଇ କହୁଣିରେ ମୁହଁକୁ ଘୋଡାନ୍ତୁ । ବ୍ୟବହାର କରିସାରିବା ପରେ ଟିସୁକୁ ଡଷ୍ଟବିନ୍‌ରେ ଫୋପାଡି ଦିଅନ୍ତୁ କିମ୍ବା କପଡାକୁ ଭଲ ଭାବେ ଧୁଅନ୍ତୁ।
  • ଟେବୁଲ୍‌, ଚେୟାର୍‌, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଭଳି ଜିନିଷ ଯାହା ଆପଣ ପ୍ରାୟ ସମୟରେ ବ୍ୟବହାର କରନ୍ତି, ସେ ସବୁକୁ ଭଲ ଭାବେ ପରିଷ୍କାର କରନ୍ତୁ।
  • ନିଜକୁ ପରିଷ୍କାର ରଖନ୍ତୁ ତଥା ବ୍ୟବହାର କରୁଥିବା ପୋଷାକ, ଚାଦର ଆଦି ପ୍ରତିଦିନ ସଫା କରନ୍ତୁ।
  • ଅତ୍ୟାବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ। ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରନ୍ତୁ।
  • ଜର, କାଶ, ଶର୍ଦ୍ଦି, ଶ୍ୱାସ ରୁଦ୍ଧ ହେବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ। ନିଜର ଭ୍ରମଣ ସମ୍ବନ୍ଧୀୟ ତଥ୍ୟ ସଠିକ୍‌ ଭାବେ ଡାକ୍ତରଙ୍କୁ ଜଣାନ୍ତୁ।

କେତେବେଳେ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଥାଏ ?

  • କୋଭୋଡ୍‌-୧୯ ରୋଗୀଙ୍କ ସହିତ ଘରେ ରହୁଥିଲେ
  • କୋଭିଡ୍‌-୧୯ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ
  • ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ଥାନକୁ ଯାତ୍ରା କରିଥିଲେ
  • ବସ୍‌, ଟ୍ରେନ୍‌ ବା ଉଡ଼ାଜାହଜରେ ଯାତ୍ରା କରିଥିଲେ

କେତେବେଳେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ?

ଯଦି ଆପଣଙ୍କ ପାଖରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଛି ଯେପରିକି ଶ୍ୱାସ କ୍ରିୟାରେ ଯନ୍ତ୍ରଣା ଅନୁଭବ ହେବ, ଛାତିରେ ଯନ୍ତ୍ରଣା ଅନୁଭବ ହେବା, ଓଠ ବା ଚେହେରା ନୀଳ ପଡିଯିବା ଆଦି ଲକ୍ଷଣ ଦେଖାଯାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Comment