ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ। କେତେବେଳେ ରାଜନୈତିକ ହିଂସାକୁ ନେଇ, ପୁଣି କେତେବେଳେ ଗୋଷ୍ଠୀ କନ୍ଦଳକୁ ନେଇ ସମସ୍ତଙ୍କ ନଜରରେ ରହିଥାଏ ପିପିଲି ନିର୍ବାଚନ ମଣ୍ଡଳୀ। କୌଣସି ସିନେମାର ନାଟକୀୟ ଶୈଳୀଠାରୁ କମ୍ ନୁହେଁ ଏହି ରାଜନୈତିକ କ୍ଷେତ୍ର। ଏବେ ପୁଣି ଏକ ଦୁଃଖଦ ଖବରକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ଷେ ବ୍ୟବଧାନରେ ପିପିଲି ମାଟି ଦୁଇ ଜଣ ରାଜନେତା ପ୍ରଦୀପ ମହାରଥୀ ଓ ଅଜିତ ମଙ୍ଗରାଜଙ୍କୁ ହରାଇଛି। ଦୁର୍ଭାଗ୍ୟବଶତଃ ଏହି ଦୁଇ ରାଜନେତା କରୋନାରେ ପ୍ରାଣ ହରାଇଛନ୍ତି।

ବିଜେଡିର ଟାଣୁଆ ନେତା ତଥା ଦୃଢ଼ ସଙ୍ଗଠକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ନିର୍ବାଚନୀ କ୍ଷେତ୍ରଥିଲା ପିପିଲି। ୨୦୨୦ମସିହାରେ ଓଡ଼ିଶାରେ ପ୍ରବେଶ କରିଥିବା କରୋନା ମହାମାରୀର ଶିକାର ହୋଇଥିଲେ ମହାରଥୀ। ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ ବିୟୋଗ ପରେ ପିପିଲିରେ ଉପନିର୍ବାଚନ ପାଇଁ ଏପ୍ରିଲ ୧୭ରେ ତାରିଖ ଘୋଷଣା ହୋଇଥିଲା। ଏହି ନିର୍ବାଚନ ପାଇଁ ତିନି ଦଳ ବିଜେପି, ବିଜେଡି, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବାବେଳେ, ପିପିଲିରେ ଚାଲିଥିଲା ଜୋରଦାର ପ୍ରଚାର। ସମସ୍ତେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଥିଲେ। ପ୍ରଚାର ରାଜନୀତି ଜୋର ଧରୁଥିବାବେଳେ ହାଠାତ୍ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ରିପୋର୍ଟ ମୂତାବକ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ବୁଧବାର ତାଙ୍କର ମୃତ୍ୟୁ ହୋଇଛି।

ନିର୍ବାଚନର କିଛି ଦିନ ପୂର୍ବରୁ ଅଜିତଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଅନ୍ୟପକ୍ଷରେ ବର୍ଷକ ଭିତରେ ପିପିଲି ଅଞ୍ଚଳର ଦୁଇଜଣ ରାଜନେତାଙ୍କର କରୋନାରେ ମୃତ୍ୟୁ ହୋଇଥିବାରୁ ଅଞ୍ଚଳ ପାଇଁ ଏକ ଦୁଃଖର ବିଷୟ ହୋଇଛି। ଏବେ ପୁଣି ପିପିଲି ନିର୍ବାଚନର ଭାଗ୍ୟ କ’ଣ ହେବ ତାକୁ ନେଇ ଚର୍ଚ୍ଚା ହେଉଛି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁପରେ ଏଠାରେ ଉପନିର୍ବାଚନ ଆୟୋଜିତ ହୋଇଥିଲା।

Comment