ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ପୋଡ଼ାଗୁଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଆଣିବାକୁ ଯାଇଥିବା ବେଳେ ମାଟି ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ମହିଳା ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆହତ ମହିଳାଙ୍କୁ ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ଆର୍ଥିକ ସହୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।କୋରାପୁଟର ପୋଡ଼ାଗୁଡା ଗାଁର ୪ ଜଣ ମହିଳା ଚୂନମାଟି ଆଣିବାକୁ ଶୁକ୍ରବାର ଅପରାହ୍‌ଣରେ ନିକଟସ୍ଥ ଏକ ଅଞ୍ଚଳକୁ ଯାଇଥିଲେ। ସେଠାରେ ମାଟି ଖୋଳୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଅତଡା ଖସିଥିଲା। ଫଳରେ ମାଟିତଳେ ଚାପିହୋଇ ଘଟଣାସ୍ଥଳରେ ହିଁ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି।

Comment