ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇର ଶିକାର ହୋଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଉପନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହେବାର ଗୋଟିଏ ଦିନ ପରେ ବିଜେପି ଏହାକୁ ହଜମ କରି ପାରିନାହିଁ। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ବିବାଦ ଭିତରକୁ ଟାଣିଛନ୍ତି। ବୁଧବାର ଦିନ ଏକାଧିକ ଟୁଇଟ କରି ସମ୍ଵିତ ପାତ୍ର କହିଛନ୍ତି ଯେ ଜଣେ ସର୍ବ ଭାରତୀୟ ସେବାର ଅଧିକାରୀ ହେବା ସତ୍ତ୍ୱେ ମୁଖ୍ୟ ଶାସନ ସଚିବ ଶାସକ ଦଳର ବୋଲକରା ସାଜିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କୁ ଆକ୍ଷେପ କରି ସମ୍ବିତ ପାତ୍ର ତାଙ୍କ ଟୁଇଟରେ କହିଛନ୍ତି,”ଆପଣ ଜଣେ ବରିଷ୍ଠ ଆଇଏଏସ ଅଫିସର। କିନ୍ତୁ ଆପଣ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀଙ୍କ ସହ ବାଲେଶ୍ୱର ଯାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ନିର୍ବାଚନ ମଣ୍ଡଳୀର ଉନ୍ନୟନ ଦାୟିତ୍ଵ ନିଜେ ନେବେ ବୋଲି ଘୋଷଣା କରିବା ପରେ ପରେ ଆପଣ ପ୍ୟାକେଜଟି ନେଇ ବାଲେଶ୍ୱର ଯାଇଥିଲେ, ଯେଉଁଠି ନିକଟରେ ଉପ ନିର୍ବାଚନ ହୋଇଥିଲା। ଏହା ଆପଣଙ୍କ ପାଖରେ ଶୋଭା ପାଉନାହିଁ ଏବଂ ଏହା ଏକ ଗୁରୁତର ଘଟଣା। ଆପଣ ଭାରତର ସମ୍ବିଧାନ ପାଖରେ ବନ୍ଧା, ଶାସକ ବିଜେଡି ପାଖରେ ନୁହେଁ।”ଡେଲାଙ୍ଗ-ପିପିଲି ମୋ ଦାୟିତ୍ୱ: ନବୀନ

୫ଟି ସଚିବ, ପୂର୍ତ୍ତ ସଚିବ ଓ ମୁଖ୍ୟ ଶାସନ ସଚିବ ବାଲେଶ୍ୱରରେ ପହଞ୍ଚି ଉନ୍ନୟନ କାମର ସମୀକ୍ଷା କରିବା ପରେ ପରେ ଭୁବନେଶ୍ୱରରୁ ବାଲେଶ୍ଵର ପାଇଁ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଉନ୍ନୟନ ସମୀକ୍ଷା ଓ ପ୍ୟାକେଜ ଘୋଷଣା ଏଭଳି ଏକ ସମୟରେ କରା ଯାଇଥିଲା ଯେମିତିକି ପିପିଲି ଲୋକ ଜାଣି ପାରିବେ ଯେ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପାଳନ କରନ୍ତି। ବାଲେଶ୍ୱର ପ୍ୟାକେଜ ଘୋଷଣାର ଦିନକ ଆଗରୁ ପିପିଲି-ଡେଲାଙ୍ଗ ଅଞ୍ଚଳର ଉନ୍ନତି ଦାୟିତ୍ୱ ସେ ନିଜେ ନେବେ ବୋଲି ଏକ ଭର୍ଚୁଆଲ ରାଲିରେ ନବୀନ ଘୋଷଣା କରିଥିଲେ।ସମ୍ଵିତ ପାତ୍ର କ’ଣ ଆଣ୍ଟି ବାଲେଶ୍ୱର? – ସସ୍ମିତ ପାତ୍ର

ସମ୍ଵିତ ପାତ୍ରଙ୍କ ଟୁଇଟର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର। ସମ୍ବିତଙ୍କ ଟୁଇଟର ଜବାବ ଦେଇ ସସ୍ମିତ କହିଛନ୍ତି ସମ୍ବିତ କଣ ବାଲେଶ୍ୱର ବିରୋଧୀ (ଆଣ୍ଟି ବାଲେଶ୍ୱର)? ଏଭଳି ଟୁଇଟ କରିବା ପୂର୍ବରୁ ସମ୍ବିତ ବାବୁ ନିଜ ଦଳର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପଚାରିବା ଆବଶ୍ୟକ ଥିଲା ବୋଲି ପରାମର୍ଶ ଦେଇଥିଲେ ସସ୍ମିତ ପାତ୍ର।

ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିଜେଡି-ବିଜେପି କଥା କଟାକଟି

କେବଳ ମୁଖ୍ୟ ଶାସନ ସଚିବ ନୁହେଁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ମଧ୍ୟ ଉଭୟ ବିଜେଡି-ବିଜେପି କଥା କଟକାଟି ହୋଇଛନ୍ତି। ନିକଟରେ ପ୍ରଜାତନ୍ତ୍ର ପରିସରରେ ହୋଇଥିବା ବିଷୁବ ମିଳନ ଉତ୍ସବରେ ଭାଷଣ ଦେବା ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ଭର୍ତ୍ତୃହରି ନିଜ ଦଳରେ ଅଲୋଡ଼ା ହୋଇ ପଡିଛନ୍ତି। ଭର୍ତ୍ତୃହରିଙ୍କ ପରି ଜଣେ ନେତାଙ୍କୁ ଓଡ଼ିଶା ସ୍ଵାର୍ଥ ପାଇଁ ବିଜେଡି କାହିଁକି ଉପଯୋଗ କରୁନି, ତାହା ଆଶ୍ଚର୍ଯ୍ୟର କଥା।”

ଏହାର ଜବାବରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ପଚାରିଥିଲେ ଧର୍ମେନ୍ଦ୍ର ପ୍ରଧାନ କଣ କଲମ୍ବସ? ଏହା ପରେ ପରେ ପ୍ରଣବ ଦାସଙ୍କ ପ୍ରଶ୍ନର ପାଲଟା ଜବାବରେ ସମ୍ବିତ କହିଥିଲେ ଯେ ଭର୍ତ୍ତୃହରିଙ୍କ ପ୍ରତି କାହିଁକି ଏତେ ଅସହିଷ୍ଣୁ ହୋଇ ପଡୁଛି ବିଜେଡି।

Comment