ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଏହି ଦୁଇଦିନ ମନ୍ଦିର ପରିସରକୁ ସାନିଟାଇଜ କରାଯିବ। ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କେବଳ ରବିବାର ଦିନ ବନ୍ଦ ରହୁଥିଲା ଦର୍ଶନ ବ୍ୟବସ୍ଥା।

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନେ ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି ପର୍ଯ୍ୟାୟରେ ଟିକାକରଣ କରିଥିବା ପ୍ରମାଣପତ୍ର ଦେଖାଇବେ। ଶ୍ରଦ୍ଧାଳୁମାନେ ବାହାରେ ରହି ଦର୍ଶନ କରିବେ। ଜଗନ୍ନାଥଙ୍କ ନିକଟରୁ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ତରଫରୁ ଚେତାଇ ଦିଆଯାଇଛି।

ଅନ୍ୟପକ୍ଷରେ କିଛିଦିନ ତଳେ ୭ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୁରୀରେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି। ଏଭଳି ସ୍ଥିତିରେ ଜଗନ୍ନାଥଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଏକ ଭର୍ଚୁଆଲ ବୈଠକର ଆୟୋଜନ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନବର ବିଶାଲ ସିଂ, ଛତିଶା ନିଯୋଗର ମହାନାୟକମାନେ ସାମିଲ ହୋଇଥିଲେ।

Comment