ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ପଶ୍ଚିମଓଡ଼ିଶାର ୧୦ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ପୁଣିଥରେ ସେହି ଜିଲ୍ଲାଗୁଡ଼ିକ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସପ୍ତାହନ୍ତ ସଟଡାଉନ୍ ସମୟରେ ଏହି ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ବନ୍ଦ ରହିବ ଟିକାକରଣ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ଆସନ୍ତାକାଲି ଶନିବାର ପଡ଼ୁଥିବାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ପୌରାଞ୍ଚଳଗୁଡ଼ିକରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟିକାକରଣ ବନ୍ଦ ରହିବ। ପୌରାଞ୍ଚଳକୁ ବାଦ ଦେଇ ଅନ୍ୟାନ୍ୟ ସ୍ଥାନରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ପୂର୍ବ ନିର୍ଦ୍ଧାରିତ ସମୟ ଓ ଗାଇଡଲାଇନ୍ ଅନୁସାରେ ଟିକାକରଣ ଜାରି ରହିବ।

କରୋନାର ଦ୍ୱିତୀୟ ଲହର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହାର ନିୟନ୍ତ୍ରଣ ପାଇଁ କାଲିଠାରୁ ଓଡ଼ିଶାରେ ଲାଗୁ ହେବ ନାଇଟ କର୍ଫ୍ୟୁ। ସମସ୍ତ କରୋନା ନିୟମକୁ କଡ଼ାକଡ଼ି କରାଯିବ। ପଶ୍ଚିମଓଡ଼ିଶାର ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବାବେଳେ, ଅନ୍ୟାନ୍ୟ ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଜରୁରୀ ସେବା ସ୍ୱାଭାବିକ୍ ରହିବ।

Comment