ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ସବୁଆଡ଼େ ଏବେ କରୋନା ମହାମାରୀର ଭୟାବହତା ଦେଖାଯାଇଛି। ଆର୍ଥିକ ଏବଂ ମାନସିକ ଉଭୟ ସ୍ତରରେ ଦେଶବାସୀ ଚିନ୍ତିତ ଅଛନ୍ତି। ତେଣୁ ଏପରି ସ୍ଥିତିରେ ଲକଡାଉନ୍‌କୁ ଅନ୍ତିମ ପନ୍ଥା ଭାବେ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

କରୋନା ସଙ୍କଟକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ସମ୍ଵୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କରୋନା ସମୟରେ ଦେଶବାସୀଙ୍କ ତ୍ୟାଗ ଆଉ ଧର୍ଯ୍ୟକୁ ସେ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏପରି ଧର୍ଯ୍ୟର ସହ କରୋନା ମୁକାବିଲା କରିବାକୁ ସେ ଅପିଲ୍ କରିଛନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ହିଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି କରୋନାକୁ ନିୟନ୍ତ୍ରଣ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ଆହ୍ଵାନ ଦେଇଛନ୍ତି।ଦେଶବାସୀଙ୍କୁ ସମ୍ଵୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର କରୋନା ବିରୋଧୀ ଯୁଦ୍ଧରେ ଏଥର ଯୁବକମାନେ ଆଗଧାଡ଼ିକୁ ଆସି ଲୋକମାନଙ୍କୁ କରୋନା ନିୟମ ପାଳନ ପାଇଁ ସଚେତନ କରନ୍ତୁ। ନିଜ ନିଜର ଗଳି, ମହଲାରେ ଯୁବ ୟୁନିଟ୍ ବନାଇ ଲୋକମାନଙ୍କୁ କୋଭିଡ ବିଷୟରେ ଅବଗତ କରନ୍ତୁ। ଘରେ ଏପରି ମାହୋଲ ପ୍ରସ୍ତୁତ କରନ୍ତୁ ଯେପରି ବିନା କାମରେ କେହି ଘରୁ ବାହାରିବେ ନାହିଁ। ଏଥିସହିତ ଅତ୍ୟାବଶ୍ୟକ ସେବା ପାଇ ପାରୁନଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ମୋଦୀ ଯୁବକମାନଙ୍କୁ ଆହ୍ଵାନ କରିଛନ୍ତି।

ସେହିପରି ପ୍ରବାସୀମାନଙ୍କୁ ମୋଦୀ କହିଛନ୍ତି ଯେ ସେମାନେ ଯେଉଁଠି ଅଛନ୍ତି ସେଠାରେ ହିଁ ସୁରକ୍ଷିତ ଭାବେ ରହନ୍ତୁ। ଏଥିରେ ସମସ୍ତଙ୍କର ଭଲ ହେବ। ସେଠାକାର ସରକାରମାନେ ମଧ୍ୟ ପ୍ରବାସୀମାନଙ୍କୁ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି।କରୋନା ଟିକା ବାବଦରେ ମୋଦୀ କହିଛନ୍ତି ଯେ ଦେଶରେ ଏବେ ଆବଶ୍ୟକ ମୁତାବକ ଟିକା ରହିଛି। ମେ’ ପହିଲାରୁ ନାଗରିକମାନଙ୍କୁ ଟିକା ଦିଆଯିବ। ଉଭୟ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଟିକା ଉପଲବ୍ଧ ହେବ। ପୂର୍ବରୁ ସରକାରଙ୍କ ତରଫରୁ ଦିଆଯାଉଥିବା ମାଗଣା ଟିକା ବ୍ୟବସ୍ଥା ଆଗକୁ ମଧ୍ୟ ଚାଲୁ ରହିବ। ଦେଶର ଗରିବ ଭାଇଭଉଣୀମାନେ ଏହାର ଫାଇଦା ଉଠାଇପାରିବେ। ତେଣୁ ସମସ୍ତେ ଟିକା ନେବାକୁ ଆଗେଇ ଆସିବାକୁ ମୋଦୀ ଅପିଲ୍ କରିଛନ୍ତି।

Comment