ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି

ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ସହ ସେ ଥିଲେ ଏକାଧାରରେ ଜଣେ ସାହିତ୍ୟ ପ୍ରେମୀ ଓ ସାମ୍ବାଦିକ। ତିନି ଗୁଣର ତ୍ରିବେଣୀ ସଙ୍ଗମରେ ସେ ଥିଲେ ପରିପୂର୍ଣ୍ଣ। ଓଡ଼ିଶାର ଜନସାଧାରଣଙ୍କ ନେତୃତ୍ୱ ନେଇ ସେ ତିନି ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଦୀର୍ଘ ୧୪ ବର୍ଷ ଧରି ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବା ସହ ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କ ନାଁ ହେଉଛି ଜାନକୀ ବଲ୍ଲଭ ପଟ୍ଟନାୟକ।

୧୯୨୭ ମସିହା ଜାନୁଆରି ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗାଁ’ରେ ଜନ୍ମ ହୋଇଥିବା ସେହି ଛୋଟ ଶିଶୁଟି ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବାପା ଗୋକୁଳାନନ୍ଦ ପଟ୍ଟନାୟକ ଜଣେ ଶିକ୍ଷକ ଥିବାହେତୁ ଜାନକୀ ବଲ୍ଲଭଙ୍କ ଶିକ୍ଷାଗତ ଯୋଗ୍ୟତା ବେଶ୍ ଭଲ ଥିଲା।  ଖୋର୍ଦ୍ଧା ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ସେ ସଂସ୍କୃତରେ ବି.ଏ. ପାସ୍ କରିଥିଲେ। ଏହାପରେ ରାଜନୀତି ବିଜ୍ଞାନରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍.ଏ ଡିଗ୍ରୀ ହାସଲ କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।ଏହାପରେ ମାତ୍ର ୨୫ ବର୍ଷ ବୟସରେ ସେ ଇଂରାଜୀ ଦୈନିକ ଖବର କାଗଜ ‘ଇଷ୍ଟର୍ଣ୍ଣ ଟାଇମସ୍’ ରେ ଜଣେ ସାମ୍ବାଦିକ ଭାବେ ଯୋଗଦେଇଥିଲେ। ପରେ ପରେ ଓଡ଼ିଆ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ମଧ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ନିଜକୁ ଜଣେ ସାମ୍ବାଦିକ ଭାବେ ଦେଖିସାରିବା ପରେ ଜାନକୀ ରାଜନୀତରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲେ। ନିଜକୁ ଲୋକମାନଙ୍କ ସହ ଯୋଡ଼ିବା ସହ ସେମାନଙ୍କର ପ୍ରତିଟି କାମରେ ନିଜକୁ ନିୟୋଜିତ କରିବାକୁ ଇଚ୍ଛା କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।

ଏହାପରେ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୬୭ ମସିହାରେ ପ୍ରଥମ ଥର ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳା ବିଧାନସଭାରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କର ପ୍ରଥମ ରାଜନୀତିକ କ୍ୟାରିଅରରେ ସେ ଅସଫଳ ହୋଇଥିଲେ। ସେହିବର୍ଷ ହିଁ ସେ କଂଗ୍ରେସରେ ଯୋଗଦେଇଥିଲେ। ବାସ୍ ଏହାସହ ଆରମ୍ଭ ହୋଇଥିଲା ଜାନକୀ ବଲ୍ଲଭଙ୍କ ଏକ ନୂଆ କ୍ୟାରିଅର।କଂଗ୍ରେସର ପ୍ରତିଟି କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବାକୁ ସେ ନିଷ୍ଠାପର ଭାବେ କାର୍ଯ୍ୟ ଜାରି ରଖିଥିଲେ। ଏହାପରେ ସେ ୧୯୭୧ ମସିହାରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏପରିକି ୧୯୮୦ର କଂଗ୍ରେସ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଥିଲେ। ପର୍ଯ୍ୟଟନ ଓ ଶ୍ରମ ବିଭାଗର କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ।  ସେ ପର୍ଯ୍ୟଟନ ବିଭାଗର କେନ୍ଦ୍ରମନ୍ତ୍ରୀ ଥିବାବେଳେ ହିଁ ଓଡ଼ିଶାରେ ନୂଆ ଜଗନ୍ନାଥ ସଡ଼କ ପଥର ନିର୍ମାଣ କରାଯାଇଥିଲା। ପୁରୀର ଚନ୍ଦନପୁରରୁ ନୟାଗଡ଼ର ଶରଣକୂଳକୁ ଯୋଡ଼ି ହୋଇଥିଲା ନୂଆ ସଡ଼କ ପଥ।

ଏହାପରେ କଂଗ୍ରେସ ମୁଖ୍ୟ ଇନ୍ଦିରା ଗାନ୍ଧୀ ଜାନକୀ ବଲ୍ଲଭଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ। ୧୯୮୦ ମସିହାରେ ଓଡ଼ିଶାରେ ଗଠନ ହୋଇଥିବା କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ୧୯୮୯ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଥିଲେ। ଏହି ସମୟ ମଧ୍ୟରେ ଓଡ଼ିଶାରେ କୃଷି, ଶିଳ୍ପ, ଜଳସେଚନ ଓ ବିଦ୍ୟୁତ ବ୍ୟବସ୍ଥାକୁ ସୁଧାରିଥିଲେ ଜାନକୀ ବାବୁ। ଏହାପରେ କିଛି ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇବା ସହ ୧୯୯୫ରେ ପୁଣି ମୁଖ୍ୟମନ୍ତ୍ରୀ ପଦକୁ ଫେରିଥିଲେ ଜାନକୀ। ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଏହାପରେ ଆସାମ ରାଜ୍ୟପାଳ ଭାବେ ମଧ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ ଦାୟିତ୍ୱରେ ରହିଥିଲେ।

ଏହାପରେ୨୦୧୫ ମସିହା ଏପ୍ରିଲ ୧୮ ତାରିଖରେ ଆନ୍ଧ୍ରପ୍ରଦେଶର ତିରୁପତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେବଳ ଜଣେ ରାଜନେତା ଓ ସାମ୍ବାଦିକ ଭାବରେ ନୁହେଁ, ନିଜକୁ ଜଣେ ସଫଳ ସାହିତ୍ୟିକ ଭାବରେ ସେ ପ୍ରମାଣିତ କରିପାରିଥିଲେ। ଓଡ଼ିଆ ଭାଷାରେ ମହାକାବ୍ୟ ‘ରାମାୟଣ’, ‘ମହାଭାରତ’ ଓ ‘ଶ୍ରୀମଦ ଭାଗବତ’ର ରଚନା କରିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ। ଏଥିସହିତ ଗୌତମ ବୁଦ୍ଧ, ସିନ୍ଧୁ ଉପତ୍ୟକା, ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ , ସ୍ୱପ୍ନ ଓ ସକଳ୍ପ ଭଳି ସାହିତ୍ୟ ରଚନା ଆଜି ବି ତାଙ୍କୁ ଅମର କରି ରଖିଛି।

Comment