ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ। ମେ’ ୩ ତାରିଖରୁ ରାଜ୍ୟରେ ଏହା ଲାଗୁ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତ୍ତି ନେଇଛି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି।

ଏହାପୂର୍ବରୁ କଟକର ବ୍ୟବସାୟୀ ସଂଘ ଓ କେନ୍ଦ୍ରପଡ଼ା ବ୍ୟବସାୟ ସଂଘ ଏଭଳି ନିଷ୍ପତ୍ତି ନେଇଥିଲେ। ବନ୍ଦ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା କୁହାଯାଇଥିଲା। ତେବେ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ସ୍ପଷ୍ଟ କରିଛି।

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୯ ହଜାର ମୁହାଁ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଶୁକ୍ରବାର ରାଜ୍ୟରୁ ୮୬୮୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି।

Comment