ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ସରକାରୀ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରେ ଜଣେ ୭୩ ବର୍ଷିୟ, ଜଣେ ୨୪ ବର୍ଷିୟ ଓ ଜଣେ ୪୦ ବର୍ଷିୟ ପୁରୁଷ ଅଛନ୍ତି। ସେହିପରି ଭୁବନେଶ୍ଵର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ କଟକ, କନ୍ଧମାଳ, ଗଞ୍ଜାମ, ଗଜପତି, ଦେବଗଡ଼, ବୌଦ୍ଧ, ବଲାଙ୍ଗିରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୨୭୩କୁ ବୃଦ୍ଧି ଘଟିଛି।ଚଳିତ ମେ’ ୮ ତାରିଖରେ ରାଜ୍ୟରୁ ସର୍ବାଧିକ ୨୧ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ୨୦୨୦ ଅକ୍ଟୋବର ମାସରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ ନଭେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ଯାଏଁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିବା ସହିତ ମୃତ୍ୟୁସଂଖ୍ୟା ବି କମିଥିଲା। ଏମିତିକି ଜାନୁଆରି ୬ ତାରିଖ ଦିନ ରାଜ୍ୟରେ କରୋନା ମୃତ୍ୟୁ ଶୂନ ଥିଲା।୨୦୨୦ ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ପ୍ରବେଶ କରିଥିଲାବେଳେ ଏପ୍ରିଲ ୭ ତାରିଖରେ ରାଜ୍ୟରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିଲା। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିଥିଲେ। ତା’ ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବି ବଢ଼ିବା ଆରମ୍ଭ କରିଥିଲା। ଜୁନ୍‌ ମାସରୁ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦୈନିକ ୧୦ରୁ ୨୦ ଭିତରେ ରହୁଥିଲା। ଏହାକୁ ନେଇ ପୂରା ରାଜ୍ୟରେ ଭୟ ଦେଖାଯାଇଥିଲା। କାରଣ ନଭେମ୍ବର ମାସ ଆଡ଼କୁ କରୋନା ସଂକ୍ରମିତ ସଂଖ୍ୟା ତଳକୁ ଖସି ଥିଲା। ହେଲେ ମୃତ୍ୟୁସଂଖ୍ୟାରେ କିଛି ଫରକ ଦେଖାଯାଇନଥିଲା। ଏବେ ପୁଣି ଥରେ କରୋନା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି।

Comment