ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣ ଉଛୁଳୁଛି। ଗୁରୁବାର ଦିନ ରାଜ୍ୟର ମୋଟ ସକ୍ରିୟ ମାମଲା ଲକ୍ଷେ ଟପିଛି। ପ୍ରଥମ ଥର ପାଇଁ ଏଭଳି ହୋଇଛି। ଗୁରୁବାର ଦିନ ରାଜ୍ୟରୁ ୧୦୬୪୯ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହା ସରକାରଙ୍କ ନିଦ ହଜେଇ ଦେଇଛି। ସାପ୍ତାହିକ କୋଡ଼ିଏ ପ୍ରତିଶତ ହାରରେ ସଂକ୍ରମଣ ବଢ଼ୁଥିବା ରାଜ୍ୟଗୁଡ଼ିକ ଭିତରେ ଏବେ ଓଡ଼ିଶାକୁ ଗଣା ଯାଉଛି। ଏହିକ୍ରମରେ ଓଡ଼ିଶାର ସ୍ଥାନ ଏବେ ୧୩ ନମ୍ଵରରେ ରହିଛି।

କେବଳ ମାଲକାନଗିରିକୁ ଛାଡ଼ିଦେଲେ ଟୋଟାଲ ପଜିଟିଭିଟି ରେଟ୍ ବା ଟିପିଆର ପ୍ରତି ଜିଲ୍ଲାରେ ପାଖାପାଖି ୨୦ ପ୍ରତିଶତ ରହିଛି। ମାଲକାନଗିରିରେ ଏହି ହାର ୧୦ ପ୍ରତିଶତ ପାଖାପାଖି ରହିଛି।କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ସାଙ୍ଘାତିକ ସ୍ଥିତିକୁ ସାମ୍ନା କରୁଥିବା ରାଜ୍ୟ ସହ ଏବେ ଓଡ଼ିଶା ସମାନ ହୋଇଛି। ସଂକ୍ରମଣ ବଢ଼ିବା ଫଳରେ ଏଣେ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପାଖାପାଖି ଅଢ଼େଇ ହଜାର ରୋଗୀ ଏବେ ଆଇସିୟୁରେ। ଏମାନଙ୍କ ମଧ୍ୟରୁ ପ୍ରାୟ ୬୦୦ ଭେଣ୍ଟିଲେଟରରେ ଅଛନ୍ତି।

ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ କୌଣସି ସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ। ପ୍ରତିଦିନ ବେଡ୍ ଓ ଅନ୍ୟାନ୍ୟ ସୁବିଧା ଯୋଡ଼ା ଯାଉଛି। ଏଣୁ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ସେ ଭରସା ଦେଇଛନ୍ତି।ଓଡ଼ିଶା ସରକାରଙ୍କ ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ ମେ ୭ ତାରିଖରେ ରାଜ୍ୟରେ ପଜିଟିଭ ରୋଗୀଙ୍କ ସଂଖ୍ୟା ଏକ ବଡ଼ ଡିଆଁ ମାରିଥିଲା। ସେଦିନ ହଠାତ ୨୪ ପ୍ରତିଶତ ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲେ। ଆଜି ମଧ୍ୟ ଏହା ବଢ଼ିଛି। କିନ୍ତୁ ଆଗକୁ କିଛି କହି ହେବନି। ତେବେ ମେ’ ମାସ ଶେଷ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିବ ବୋଲି ଅନୁମାନ କରାଯାଉଛି।

Comment