ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇର ମୁଖ୍ୟ ପଦବୀ ପାଇଁ ଜଣେ ଓଡ଼ିଆ ଆଇପିଏସ୍ ଦୌଡ଼ରେ ଅଛନ୍ତି। ମେ’ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପରବର୍ତ୍ତୀ ସିବିଆଇ ମୁଖ୍ୟ କିଏ ହେବ ତାହା ଜଣାପଡ଼ିବ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ୍‌ଭି ରମଣ ଓ ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଏହି ବୈଠକରେ ଯୋଗ ଦେବେ। ଏ ଦୁଇଜଣ ହେଉଛନ୍ତି ଚୟନ କମିଟିର ସଦସ୍ୟ। ବୈଠକ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ୭ ଜଣ ସମ୍ଭାବ୍ୟ ଅଫିସରଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ଚୟନ କମିଟିକୁ ଦିଆଯାଇଥିବା ତାଲିକାରେ ଓଡ଼ିଆ ଆଇପିଏସ୍ ଲୋକନାଥ ବେହେରାଙ୍କ ନାମ ରହିଛି।ଅନ୍ୟାନ୍ୟ ୬ ଜଣ ଆଇପିଏସ୍‌ଙ୍କ ନାମ ସୁପାରିଶ କରାଯାଇଛି। ସେମାନେ ହେଲେ ସିବିଆଇର କାର୍ଯ୍ୟକାରୀ ମୁଖ୍ୟ ପ୍ରବୀଣ ସିହ୍ନା, ବର୍ଡର ସିକ୍ୟୁରିଟି ଫୋର୍ସର ଡିଜି ରାକେଶ ଆସ୍ଥାନା, ଜାତୀୟ ଯାଞ୍ଚ ବ୍ୟୁରୋ ବା ଏନଆଇଏର ଡିଜି ଯୋଗେଶ ଚନ୍ଦ୍ର ମୋଦି, ସିଆଇଏସଫର ଡିଜି ସୁବୋଧ କାନ୍ତ ଜୈସ୍ୱଲ, ଇଣ୍ଡୋ ତିବ୍ବତ ବର୍ଡର ଫୋର୍ସର ଡିଜି ସୁରଜିତ ସିଂହ ଦେସ୍ୱାଲ, ଉତ୍ତର ପ୍ରଦେଶ ପୋଲିସ ଡିଜି ହିତେଶ ଚନ୍ଦ୍ର ଅବସ୍ଥି।

କେରଳର ପୁଲିସ ମହାନିର୍ଦ୍ଦେଶକ ଲୋକନାଥ ବେହେରା। ପୂର୍ବରୁ ଲୋକନାଥ ବେହେରା ଆଲେପିର ଏସ୍‌ପି, ଥିରୁଭାନନ୍ତପୁରମର ଡିସିପ ଓ କୋଚିର ସିପି ଥିଲେ। ତା’ଛଡ଼ା ବେହେରା ସିବିଆଇରରେ ମଧ୍ୟ ୧୦ ବର୍ଷ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ଏହି ସଂସ୍ଥାର ଏସ୍‌ପି ଓ ଡ଼ିଆଇଜି ରହିଥିଲେ। ସେ ଏନଆଇଏରେ ମଧ୍ୟ ୬ ବର୍ଷ କାର୍ଯ୍ୟ ସମ୍ପାଦନ କରିଥିଲେ।

Comment