ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଓଡ଼ିଶା ସରକାର ୩ କୋଟି ୮୦ ଲକ୍ଷ ଟିକା କିଣିବେ। ଏଥିପାଇଁ ଟେଣ୍ଡର କରାଯାଇଛି। ଏହି ପ୍ରକ୍ରିୟା ସଫଳ ହେଲେ ମେ’ ୨୮ ପରେ ଟିକା କିଣା ଯାଇପାରିବ। ୪ ମାସ ମଧ୍ୟରେ ସମସ୍ତ ଟିକା ଯୋଗାଇ ଦେବାକୁ ସରକାର ଟେଣ୍ଡରରେ ଦର୍ଶାଇଛନ୍ତି। ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ୍ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି।ଏଥିସହିତ କରୋନା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟି ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବେ। ବିଶେଷ କରି ସାର୍ବଜନୀନ ଟିକାକରଣ ବାବଦରେ ରାଜ୍ୟ ସରକାରଙ୍କୁ ଏହି କମିଟି ପରାମର୍ଶ ଦେବ। ଏଥିସହିତ ଆଗାମୀ ଲହର ପାଇଁ ପ୍ରସ୍ତୁତି ଏବଂ କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା କରିବା ଉପରେ ଏହି କମିଟି ସରକାରଙ୍କୁ ପରାମର୍ଶ ଦେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି।ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଭଳି ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ଆଦି ସଦସ୍ୟ ରହିଥିବା ବେଳେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହାର ଆବାହକ ଅଛନ୍ତି।

ଏହି କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବେ, ତାହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସାରା ରାଜ୍ୟରେ ଏବେ ଲକଡାଉନ୍ ଜାରି ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ସ୍ଥିର ରହିଛି। ଛତିଶଗଡ଼ ସୀମାବର୍ତ୍ତୀ ଯେଉଁ ଜିଲ୍ଲାଗୁଡ଼ିକରେ ପୂର୍ବରୁ ସଂକ୍ରମଣ ହାର ବଢ଼ିଥିଲା ଏବେ ସେଥିରେ ହ୍ରାସ ହୋଇ ସଂକ୍ରମଣ ସ୍ଥିର ରହିଛି।ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଧୀରେ ଧୀରେ ସଂକ୍ରମଣ କମୁଥିବାରୁ ରାଜ୍ୟ ପାଇଁ ଏହା ଆଶ୍ୱସ୍ତିକର କଥା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

“ରାଜ୍ୟବାସୀ ମାସ୍କ ପିନ୍ଧିବା ଜାରି ରଖନ୍ତୁ, ଭିଡ଼କୁ ଯାଆନ୍ତୁ ନାହିଁ, ବାରମ୍ବାର ସାବୁନରେ ହାତ ଧୁଅନ୍ତୁ, ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ ଏଭଳି ସମସ୍ତ କୋଭିଡ୍‌ ଉପଯୋଗୀ ନିୟମ ମାନନ୍ତୁ। ସମସ୍ତେ ଯଦି କୋଭିଡ୍‌ ନିୟମ ମାନିବେ ତାହେଲେ ଖୁବଶୀଘ୍ର ଆମେ କୋଭିଡ୍‌କୁ ହରାଇପାରିବା” କହିଛନ୍ତି ମୁଖ୍ୟ ଶାସନ ସଚିବ।

Comment