ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ବେଳେ ସାଧାରଣ ଲୋକଙ୍କ ପାଖରେ ଜମି ପଟ୍ଟା, ଜାତିଗତ ପ୍ରମାଣପତ୍ର ଆଦି ପହଞ୍ଚାଇବା ପାଇଁ କୋରାପୁଟ ଜିଲ୍ଲା ଜୟପୁର ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି। ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।କରୋନା ମହାମାରୀ ପାଇଁ ରାଜ୍ୟରେ ଏବେ ଲକଡାଉନ୍, ସଟଡାଉନ୍ ଜାରି ରହିଛି। ଫଳରେ ସାଧାରଣ ଲୋକମାନେ ତହସିଲ କାର୍ଯ୍ୟାଳୟ ନ ଆସିପାରି ରାଜସ୍ଵ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବାର ଲକ୍ଷ୍ୟ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ‘ରାଜସ୍ୱ ରଥ’ ଅଭିଯାନ। ଏହି ରଥ ମାଧ୍ୟମରେ ଲୋକମାନଙ୍କୁ ଜମି ପଟ୍ଟା, ଜାତିଗତ ପ୍ରମାଣପତ୍ର ଭଳି ସେବା ସେମାନଙ୍କ ଘର ପାଖରେ ଯୋଗାଇ ଦିଆଯାଉଛି।ଜୟପୁର ତହସିଲ ଅଧୀନରେ ମଙ୍ଗଳବାର ରଣ୍ଡାପାଲ୍ଲିର ସାନ କାଉଡି ଗ୍ରାମରେ ବିଭିନ୍ନ ହିତାଧିକାରୀଙ୍କୁ ୧୨ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ସେହିପରି ଜାମୁଣ୍ଡାର ଜରାଇକେରା ଗ୍ରାମରେ ୧୦ଟି ଜାତି ପ୍ରମାଣପତ୍ର, ୧୦ଟି ଆବାସିକ ପ୍ରମାଣପତ୍ର, ୬ଟି ଆୟ ପ୍ରମାଣପତ୍ର ସହିତ ୬ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଜୟପୁର ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ସୁପରଭାଇଜର ଟୁନା ପଟ୍ଟନାୟକ, ଆର୍‌ଆଇ ରାକେଶ କୁମାର ସାହୁ ଜାମୁଣ୍ଡା ଆର୍‌ଆଇ ହରି ଜାନି ପ୍ରମୁଖ ଉପସ୍ଥିତ ଥିଲେ।

Comment