ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାତ୍ୟା ୟାସ୍ ତାଣ୍ଡବ ରଚିବା ପରେ ଏବେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ୟାସ୍‌ର ପ୍ରଭାବରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରପଡ଼ା ଅଧିକ ପ୍ରଭାବିତ ହୋଇଥିଲେ ହେଁ, ପାଣିପାଗ ବିଭାଗର ତଥ୍ୟ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ବିଶେଷକରି ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଥିବା ଆକଳନ କରାଯାଇଛି।

ୟାସ୍ ପ୍ରଭାବରେ ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବାବେଳେ ରାମତୀର୍ଥରେ ୩୫୭ ମି.ମି, ବରେହିପାଣିରେ ୩୩୧ ମି.ମି, କବାଟ ଘାଇରେ ୩୦୬ ମି.ମି ଓ ନଅଣାରେ ୨୭୮ ମି.ମି ବର୍ଷା ରେକର୍ଡ କରାଯାଇଛି। ଏନେଇ ଶିମିଳିପାଳ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଞ୍ଚଳରୁ ବାହାରିଥିବା ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। କଣ୍ଟାଖଇରି, ଭଣ୍ଡନ, ଦେଓ ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି। ଭଣ୍ଡନ ନଦୀର ଜଳସ୍ତର ବୃଦ୍ଧି ପାଇବା ହେତୁ ଅସନପୁର ଗାଁ ଜଳମଗ୍ନ ହୋଇଯାଇଥିଲା। ଗାଁର ଲୋକମାନଙ୍କୁ ସେଠାକାର ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି ଯେ, ବାତ୍ୟା ୟାସ୍ ପରେ ଏପର୍ଯ୍ୟନ୍ତ କୌଣସି ବନ୍ୟା ସ୍ଥିତି ଦେଖାଯାଇ ନାହିଁ। ତା’ର ପ୍ରଭାବରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ତେଣୁ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଆନନ୍ଦପୁର ପାଖରେ ବୈତରଣୀ ୩୮.୩୬ ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାରେ ମଧ୍ୟ ଜଳସ୍ତର ବଢ଼ିବାରେ। ଏଥିସହ ସୁବର୍ଣ୍ଣରେଖା, ସାଳନ୍ଦୀ ଓ ବୁଢ଼ାବଳଙ୍ଗ ନଦୀ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା କହିଛନ୍ତି ଜ୍ୟୋର୍ତିମୟ ରଥ।

Comment