ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାକୁ ୫୦୦କୋଟି ବାତ୍ୟା ସହାୟତା ରାଶି ଘୋଷଣା
  • ବାତ୍ୟା ପାଇଁ ସମୁଦାୟ ୧ହଜାର କୋଟି ଟଙ୍କାର ସହାୟତା ରାଶି
  • ଝାଡ଼ଖଣ୍ଡ ଓ ପଶ୍ଚିବଙ୍ଗ ପାଇଁ ୫ଶହ କୋଟି
  • ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି
  • ଗୁରୁରତ ଆହତଙ୍କ ପାଇଁ ୫୦ହଜାର ଟଙ୍କା

ଓଡ଼ିଶା ପାଇଁ ବାତ୍ୟା ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ୟାସ୍ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ପରିଦର୍ଶନ କରିଥିଲେ। ଏହାପରେ ଓଡ଼ିଶା ପାଇଁ ଅତିରିକ୍ତ ୫୦୦କୋଟି ଟଙ୍କା ଘୋଷଣା କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ୫୦୦କୋଟି ଟଙ୍କା ଘୋଷଣା କରାଯାଇଛି। ଏଥିସହ ବାତ୍ୟାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିର ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ଵରରେ ପହଞ୍ଚି ବାତ୍ୟା ୟାସ୍ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ବୈଠକରେ ପ୍ରଥମେ ବାତ୍ୟା ୟାସ୍ ଦ୍ଵାରା ହୋଇଥିବା କ୍ଷୟକ୍ଷତିକୁ ନେଇ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଦୁଇଟି ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ଯେପରିକି ସ୍ଵତନ୍ତ୍ର ବିଜୁଳି ବ୍ୟବସ୍ଥା ଏବଂ ବାତ୍ୟା ପ୍ରବଣ ଉପକୂଳଗୁଡ଼ିକରେ ଉଚ୍ଚ ଜୁଆରର ମୁକାବିଲା ପାଇଁ ସ୍ଵତନ୍ତ୍ର ବନ୍ଧ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ।ଅନ୍ୟପଟେ ଆସନ୍ତା ୭ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ଦେବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଏକ ଏକ କେନ୍ଦ୍ରୀୟ ଟିମ୍ କ୍ଷୟକ୍ଷତି ଆକଳନ କରିବା ପାଇଁ ଖୁବଶୀଘ୍ର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆସିବ। ଉକ୍ତ ଟିମ୍‌ର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ଏବଂ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସ୍ଥିତି ଅନୁଧ୍ୟାନ କରିବାପରେ କେଉଁ ରାଜ୍ୟକୁ କେତେ ସହାୟତା ରାଶି ଯୋଗାଇ ଦିଆଯିବ, ତା’ର ନିର୍ଦ୍ଧାରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Comment