ଭାସ୍କର ପରିଚ୍ଛା

ରାଜନୀତିରେ ନବୀନଙ୍କ ବିରଳ ବ୍ୟକ୍ତିତ୍ୱ। ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ଲୋକପ୍ରିୟ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସରକାରର ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ଣ୍ଣ ହୋଇଛି। ‘ୟାସ’ ବାତ୍ୟା ଓ କରୋନାର ଦ୍ଵିତୀୟ ଲହର ଯୋଗୁଁ ହୁଏତ ଏହି ‘ବର୍ଷପୂର୍ତ୍ତି’ ଘଟଣା ଯେତିକି ମିଡିଆରେ ଆଲୋଚିତ ହେବା କଥା ତାହା ହୋଇ ପାରିନାହିଁ। ତଥାପି ନବୀନଙ୍କ ଲୋକପ୍ରିୟତା ଆଦୌ କମି ନାହିଁ। ବରଂ ବଢ଼ିଛି। ଏହାର ତାଜା ଉଦାହରଣ ହେଉଛି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ ୟାସ୍‌ ବାତ୍ୟା ନେଇ ଅନୁଷ୍ଠିତ ସଫଳ ବୈଠକ ତଥା ଓଡ଼ିଶା ସରକାରଙ୍କ ଶୁଦ୍ଧ ଓ ସଂଭ୍ରମିତ ଆଚରଣ ପ୍ରଦର୍ଶନ। ଅନ୍ୟ ବାତ୍ୟା ଭଳି ୟାସ୍‌ ବାତ୍ୟାର ସଫଳ ମୁକାବିଲା ଯୋଗୁଁ ଓଡ଼ିଶା ପୁଣିଥରେ ଜାତୀୟ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି।

ଏକୋଇଶି ବର୍ଷର ଯୁବକ

ବିଜୁ ଜନତା ଦଳ ସରକାରର ନେତୃତ୍ୱ ନେବା ସହ ଦୀର୍ଘ ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ଆପଣାଛାଏଁ ଏକ ରେକର୍ଡ। ୭୫ ବର୍ଷୀୟ ନବୀନ ପଟ୍ଟନାୟକ ଏବେବି ଭାରତର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଜଣେ। ଏହିଭଳି ପ୍ରଦର୍ଶନ କ୍ଷେତ୍ରରେ ତାଙ୍କ ସମସାମୟିକ ଆଉ କେହି ନାହାନ୍ତି ବୋଲି କହିଲେ ଅତିରଞ୍ଜିତ ହେବ ନାହିଁ।

ଇତିହାସକୁ ଯିବା

ବିଜୁ ପଟ୍ଟନାୟକଙ୍କ ନିଧନ ପରେ ୧୯୯୭ ଡିସେମ୍ବର ମାସରେ ତାଙ୍କରି ନାଁରେ ବିଜୁ ଜନତା ଦଳ ଗଠନ କରାଗଲା। କେବେବି ରାଜନୀତିର ଧାର ଧରିନଥିବା ନବୀନ ବିଜେଡିର ମଙ୍ଗ ଧରିବା ସହ ଏକ ଗୁରୁ ଦାୟିତ୍ୱକୁ ମୁଣ୍ଡାଇବା ଆରମ୍ଭ କରିଥିଲେ। ଏହି ୨୩ବର୍ଷ ମଧ୍ୟରେ ବିଜେଡି କେବଳ ଏକ ଆଞ୍ଚଳିକ ଦଳ ଭାବରେ ନୁହେଁ ଓଡ଼ିଶାର ୪କୋଟି ଲୋକଙ୍କ ଆଶା ଭରସା ହୋଇପାରିଥିବା ଦଳ ଭାବରେ ସାମ୍ନାକୁ ଆସିଛି। ଏହି ପ୍ରକ୍ରିୟା ଭିତରେ ଓଡ଼ିଶାର ଅନ୍ୟ ଦୁଇ ରାଜନୈତିକ ଦଳ ଭିତରୁ ଗୋଟିଏ ଧରାଶାୟୀ ହୋଇଛି ତ’ ଅନ୍ୟଟି ଏକ ଅସମତୁଲ ରାଜନୈତିକ ପ୍ରତିଯୋଗିତାରେ ଛନ୍ଦି ହୋଇପଡ଼ିଛି।ଗୋଟିଏ ସମୟରେ ବିଜେଡି ଓ ବିଜେପି ରାଜ୍ୟରେ ମେଣ୍ଟ କରିଥିଲେ। କିନ୍ତୁ ଅନେକ କାରଣରୁ ଏହି ମେଣ୍ଟ ତିଷ୍ଠି ପାରିନଥିଲା ଓ ୨୦୦୯ରୁ ବିଜେଡି ଏକଲା ଚାଲି ଆସିଛି। ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳର ଅନ୍ୟ ଏକ ଉଲ୍ଲେଖନୀୟ ରେକର୍ଡ ହେଉଛି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମୋଦି ହାୱାକୁ ପ୍ରତିହତ କରିବା। ଦୀର୍ଘ କୋଡ଼ିଏ ବର୍ଷ ଧରି ବିଜେଡି କୌଣସି ନିର୍ବାଚନ ହାରି ନାହିଁ ତାହା ବି ଭାରତର ରାଜନୀତିକ ଇତିହାସରେ ଏକ କୋଚିତ୍‌ ଘଟଣା। ଉଭୟ ଲୋକସଭା ଓ ରାଜ୍ୟସଭାରେ ନିଜର ଜୋରଦାର ସ୍ଥିତି ବଜାୟ ରଖିବା ବ୍ୟତୀତ ସଙ୍କଟ ସମୟରେ ମୋଦି ସରକାରଙ୍କୁ ଗୃହରେ ସାହାଯ୍ୟ କରିଆସିଛି। ଏକ ଦାୟିତ୍ୱବାନ୍‌ ଦଳ ଭାବରେ ବିଜେଡି ଯେଉଁ ଉଦାରତା ପ୍ରଦର୍ଶନ କରି ଆସିଛି ତାହା ଉଲ୍ଲେଖ କରିବାର କଥା।

ଲୋକପ୍ରିୟ ଯୋଜନା

୨୦୦୦ ମସିହା ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ନବୀନ ପଟ୍ଟନାୟକ ଏଭଳି କ’ଣ କଲେ ଯେ ଲୋକେ ତାଙ୍କୁ ଲଗାତାର ଜିତାଇ ଆସିଛନ୍ତି ଜନତା। ଏହିଭଳି ଏକ ପ୍ରଶ୍ନ ଉଠିବା ସ୍ୱାଭାବିକ। ନିଃସନ୍ଦେହରେ ନବୀନ ପଟ୍ଟନାୟକ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ତାହାକୁ

କାର୍ଯ୍ୟକାରୀ ମଧ୍ୟ କରିଛନ୍ତି। ଏନ୍ତୁଡ଼ିଶାଳରୁ ଶ୍ମଶାନ ଯାଏଁ ଏଭଳି କୌଣସି ଯୋଜନା ଓ କାର୍ଯ୍ୟକ୍ରମ କରାଯାଇନାହିଁ ଯାହାଦ୍ୱାରା ଲୋକେ ଉପକୃତ ହୋଇନାହାନ୍ତି। ବସ୍ତୁତଃ, ଏହିସବୁ ଯୋଜନା ଯୋଗୁଁ ହିଁ ବିଜେଡି ସରକାର ତା’ର ବିଜୟ ବୈଜୟନ୍ତୀ ଉଡ଼ାଇ ଚାଲିଛି।ବାତ୍ୟା ପୁରୁଷ

ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ରାଜ୍ୟ ମହାବାତ୍ୟାରୁ ସଦ୍ୟ ଉଠିଥାଏ। ଏହି ବିପତ୍ତିରୁ ଲୋକଙ୍କୁ ଉଦ୍ଧାର କରିବା ସହ ରାଜ୍ୟର ଅର୍ଥନୀତିକୁ ଥଇଥାନ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଗଲା ତାହା ଦିନେ ଦେଶରେ ଏକ ମଡେଲରେ ପରିଣତ ହୋଇଯିବ କେବେବି ଚିନ୍ତା କରାଯାଇନଥିଲା। ଏହି ୨୦ବର୍ଷ ମଧ୍ୟରେ ଯେତେ ବାତ୍ୟା ଓଡ଼ିଶା ଦେଇ ଯାଇଛି ସେସବୁକୁ ଗୋଟି ଗୋଟି କରି ସଫଳତାର ସହିତ ସାମ୍ନା କରାଯାଇ ପାରିଛି । ଯାହାକି ଓଡ଼ିଶା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଶଂସା ଆଣିଛି।

ଦାରିଦ୍ର୍ୟ ଓ ଶିଶୁମୃତ୍ୟୁ

ଦାରିଦ୍ର୍ୟ ଓ ଶିଶୁ ମୃତ୍ୟୁ ପାଇଁ ଏକଦା ବିଶ୍ୱ ଦରବାରରେ ବଦନାମ ହୋଇଥିବା ଓଡ଼ିଶା ଏବେ ଏହି ଦୁଇଟି ସାମାଜିକ ବିଡ଼ମ୍ବନାରୁ ନିଜକୁ ମୁକୁଳାଇ ପାରିଛି। ଏହା ସମ୍ଭବ ହୋଇଛି କେବଳ ଏକ ସ୍ଥାୟୀ ସରକାର ଯୋଗୁଁ। ଶାସନରେ ସ୍ଥାୟୀତ୍ୱ ରହିଲେ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ। ଓଡ଼ିଶା ତାହା ପ୍ରମାଣିତ କରି ପାରିଛି। ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା ଆପାତତଃ ସଫଳ ହୋଇଛି।kalinga-stadiumଖେଳ ରାଜଧାନୀ

ଜାତୀୟ ଓ ଅନ୍ତର୍ଜାତୀୟ ଖେଳ କୁଦରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠତା ହାସଲ କରିପାରିଛି। କେହି କେହି କଳିଙ୍ଗ ଷ୍ଟାଡିୟମ ଓ ଭୁବନେଶ୍ୱରକୁ ଭାରତର ଖେଳ ରାଜଧାନୀ କହିବାକୁ ପଛାଉ ନାହାନ୍ତି। ସେହିଭଳି ପର୍ଯ୍ୟଟନ ବିକାଶ ପାଇଁ ମଧ୍ୟ ବେଶ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୁରୀ ଓ ଭୁବନେଶ୍ୱରର ଐତିହ୍ୟ ବିକାଶ ସାଙ୍ଗକୁ ଶିଳ୍ପ ବିକାଶ ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ମଧ୍ୟ ଓଡ଼ିଶା ତା’ର ସ୍ଥାନ ବଜାୟ ରଖିପାରିଛି।କାଳିଆ ଯୋଜନା

ନବୀନ ପଟ୍ଟନାୟକ ସରକାରର ଗୋଟିଏ ବଡ଼ ସଫଳତା ହେଲା କାଳିଆ ଯୋଜନା। ଚାଷୀଙ୍କ ଭଲ ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାର ଲୋକପ୍ରିୟତା ଅନସ୍ୱୀକାର୍ଯ୍ୟ ଓ ବିକାଶ ଅଭିଧାନରେ ଏହା ଏକ ନୂଆ ଶବ୍ଦ ଭାବେ ଯୋଡି ହୋଇଛି। ସେହିଭଳି ଟଙ୍କିକିଆ ଚାଉଳ ଓ ୫ଟଙ୍କିଆ ଆହାର। ଯାବତୀୟ ସମାଲୋଚନା ଓ ତାତ୍ସଲ୍ୟ ସତ୍ତ୍ୱେ ଗରୀବ ଲୋକଙ୍କ ପାଇଁ ଏହି ସବୁ କାର୍ଯ୍ୟକ୍ରମ ଅର୍ଥପୂର୍ଣ୍ଣ ହୋଇପାରିଛି ଏଥିରେ ଦ୍ୱିମତ ନାହିଁ।

ଆଠ ପ୍ରତିଶତ

କୃଷି, ଶିଳ୍ପ, ସେବା ଓ ଖଣି ଖାଦାନ କ୍ଷେତ୍ରରେ ଯେଉଁ ସବୁ ପୁଞ୍ଜି ବିନିଯୋଗ ହୋଇଛି ତାହାର ପରିଣତି ଏହା ଯେ, ରାଜ୍ୟ ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୮ ପ୍ରତିଶତ ରହିଆସିଛି । ଯେତେବେଳେ କି ଜାତୀୟ ଅଭିବୃଦ୍ଧି ହାର ସାତ ପ୍ରତିଶତରେ ସୀମିତ ରହିଛି।

ସ୍ୱାସ୍ଥ୍ୟ ଭିତ୍ତିଭୂମି

ନବୀନ ପଟ୍ଟନାୟକ ସରକାରଙ୍କ ଅନ୍ୟ ଏକ ବଡ଼ ସଫଳତା ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ। ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ସହ ଆଗରୁ ଥିବା ହସ୍ପିଟାଲଗୁଡ଼ିକର ଉନ୍ନତିକରଣ ଯୋଗୁଁ ପୂର୍ବାପେକ୍ଷା ଲୋକଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଅନେକ ପରିମାଣରେ ପୂରଣ କରାଯାଇଛି।ମିଶନ ଶକ୍ତି

ନବୀନ ପଟ୍ଟନାୟକ ସରକାରର ସଫଳତା ଓ ତାହାର ଅସଲ କାରଣକୁ ଯଦି ନିରପେକ୍ଷ ଭାବରେ ଖୋଜାଯାଏ ଗୋଟିଏ କଥା ସ୍ପଷ୍ଟ ହେବ ଯେ, ମହିଳା ମାନେ ହିଁ ସରକାରର ମୁଖ୍ୟ ଅବଲମ୍ବନ ହୋଇ ଆସିଛନ୍ତି। ‘ମିଶନ ଶକ୍ତି’ ନାଁରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବା ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ଭିତରେ ଯେଉଁ ସାହସ ଓ ରୋଜଗାରର ମନ୍ତ୍ର ବୁଣା ଯାଇପାରିଛି ତାହା ଉଲ୍ଲେଖଯୋଗ୍ୟ। ରାଜ୍ୟର ଗରିବ ଲୋକଙ୍କୁ ୨୦ଲକ୍ଷ ପକ୍କାଘର ଯୋଗାଇଦେବା ପାଇଁ ଗତ ବର୍ଷ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

୫ଟି ମନ୍ତ୍ର

ଶାସନ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ବିଜେଡ଼ି ସରକାର ଯେଉଁ ୫ଟି ପଦ୍ଧତି ଅବଲମ୍ବନ କରି ଆସିଛନ୍ତି ତାହା କେବଳ ଅଭିନବ ନୁହେଁ ପ୍ରଶାସନିକ ସ୍ତରରେ ଏହା ଏକ ନୂଆ ପରିବର୍ତ୍ତନ ଆଣିପାରିଛି। ନାଗରିକଙ୍କ ସହିତ ସିଧାସଳଖ ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ ଏହି ୫ଟି ମନ୍ତ୍ର ଓ ‘ମୋ ସରକାର’ ଯୋଜନାର ସମାଲୋଚନା ନିର୍ବିଶେଷରେ ପ୍ରଶାସନ ଏହାଦ୍ୱାରା ତ୍ୱରାନ୍ୱିତ ହୋଇଛି ଓ ଉଜାଗର ରହିପାରୁଛି, ତାହା ହିଁ ଉଲ୍ଲେଖଯୋଗ୍ୟ ବିଷୟ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment