ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି କର୍ମୀମାନେ କୋଭିଡ୍ ଟିକାକରଣ କେନ୍ଦ୍ରରେ ଲାଗିଥିବା ପୋଷ୍ଟରକୁ ନେଇ ପ୍ରତିବାଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଭଳି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଯାଉ ବୋଲି ଦାବି କରିଛି ବିଜେପି।

ଆଜିଠାରୁ କେନ୍ଦ୍ର ସରକାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ତେଣୁ ଏହି ଅବସରରେ ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଉଭୟ ଅନଲାଇନ ଓ ଅଫ ଲାଇନ ପଞ୍ଜିକରଣ ମାଧ୍ୟମରେ ଟିକା ନେବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ରାଜନୀତି ।ଅନୁଗୁଳରେ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଟିକାକରଣ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ବିଜେପି କର୍ମୀମାନେ ଚିରିବା ସହ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଲଗାଯାଉ ବୋଲି ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଆଜି ପାଇଁ ଟିକାକରଣ ପ୍ରକ୍ରିୟାକୁ ବନ୍ଦ କରିଦିଆଯାଇଛି।

ଅନ୍ୟପଟେ ବାଲେଶ୍ଵରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ସେଠାକାର ବିଜେପି କର୍ମୀମାନେ ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ପହଞ୍ଚି, ମୁଖ୍ୟମନ୍ତ୍ରୀ ପୋଷ୍ଟରକୁ ନେଇ ପ୍ରତିବାଦ କରିଛନ୍ତି। ରାଜ୍ୟମାନଙ୍କୁ ମାଗଣାରେ କେନ୍ଦ୍ର ସରକାର ଟିକା ପ୍ରଦାନ କରୁଥିବାବେଳେ, ରାଜ୍ୟ ସରକାର ନିଜର ପୋଷ୍ଟର ଲଗାଇ କାହିଁକି ବାଃ ବାଃ ସାଉଣ୍ଟୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି। ଏଥିସହ ମୋଦୀଙ୍କର ଏକ ପୋଷ୍ଟର ନେଇ ଟିକାକରଣ କେନ୍ଦ୍ରରେ ରଖିଛି ବିଜେପି।ବାଲେଶ୍ଵର ଓ ଅନୁଗୁଳ ବିଜେପି କର୍ମୀଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେଡି। ବର୍ତ୍ତମାନ ରାଜ୍ୟରେ ଯେଉଁ ଟିକା ଦିଆଯାଉଛି, ତାହା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ କିଣିଛନ୍ତି ବୋଲି କହିଛି ବିଜେଡି।

ତେବେ ଏଭଳି କଠିନ ସମୟରେ ନିଜ ନିଜ ଭିତରେ ଫାଟ ସୃଷ୍ଟି ନକରି, କିଭଳି ଏହାର ମୁକାବିଲା କରିହେବ ସେଥିପ୍ରତି ଧ୍ୟାନ ଦେବାସହ ମୋଦୀ ଓ ନବୀନଙ୍କ ପୋଷ୍ଟରକୁ ନେଇ ହୀନ ରାଜନୀତି ନକରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comment