ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ଵିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ମୟୂରଭଞ୍ଜର ଲୋକସଭା ସାଂସଦ ବିଶ୍ଵେଶ୍ଵର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅନ୍ୟପଟେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋଦୀଙ୍କ ଟିମ୍‌ରୁ ବାଦ୍ ପଡ଼ିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦବୀକୁ ବଜାୟ ରଖିଛନ୍ତି।ମୋଦୀଙ୍କ ଟିମ୍‌ରେ ସାମିଲ ହେଲେ ଅଶ୍ଵିନୀ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ଏଥିରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ଵିନୀ ବୈଷ୍ଣବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିପାରେ ବୋଲି ରାଜନୀତି ପଣ୍ଡିତମାନେ ଆକଳନ କରିଥିଲେ, ଆଉ ବୁଧବାର କ୍ୟାବିନେଟ୍‌ ଅଦଳବଦଳରେ ତାହା ସତ ମଧ୍ୟ ହୋଇଛି।

୨୦୧୯ରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ ଅଶ୍ୱିନୀ ବୈଷ୍ଣବ ବିଜେପି ଓ ବିଜେଡିର ମିଳିତ ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚତ ହୋଇଥିଲେ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ୍‌ରେ ତାଙ୍କୁ ସ୍ଥାନ ମିଳିଥିବା ବେଳେ ତାଙ୍କୁ କୌଣସି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଅର୍ଥ ସମ୍ଭନ୍ଧୀୟ କୌଣସି ବିଭାଗରେ ସେ ମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଛି।ମୋଦୀଙ୍କ ଆଦିବାସୀ କାର୍ଡ

କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବା ନେଇ ଯେବେଠାରୁ ଚର୍ଚ୍ଚା ହେଉଥିଲା, ସେତେବେଳେ ଓଡ଼ିଶାରୁ କେବଳ ଅଶ୍ଵିନୀ ବୈଷ୍ଣବଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ରାଜନୀତିକ ପଣ୍ଡିତମାନେ ଆକଳନ କରିଥିଲେ। ହେଲେ ବୁଧବାର କ୍ୟାବିନେଟ୍ ସମ୍ପ୍ରସାରଣରେ ଓଡ଼ିଶାରୁ ଅଶ୍ଵିନୀ ବୈଷ୍ଣବଙ୍କ ସହିତ ମୟୂରଭଞ୍ଜ ବିଜେପି ସାଂସଦ ବିଶ୍ଵେଶ୍ୱର ଟୁଡୁଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ବିଶ୍ଵେଶ୍ୱର ମୟୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ଲୋକସଭା କ୍ଷେତ୍ରର ପ୍ରତିନିଧିତ୍ଵ କରୁଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରେ ସାମିଲ କରି ଆଦିବାସୀ କାର୍ଡ ଖେଳିଛନ୍ତି ବୋଲି ଚର୍ଚ୍ଚା ହେଉଛି।

୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ମୟୂରଭଞ୍ଜରେ ବିଜେଡି ଗଡ଼କୁ ଭାଙ୍ଗି ବିଜେପି ଭଲ ପ୍ରଦର୍ଶନ କରିଥିଲା। ସେହିପରି ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ଭୋଟ୍‌ରେ ପୁଣିଥରେ ବିଜେପିକୁ ମାଇଲେଜ୍ ଦେବାକୁ ବିଶ୍ଵଶ୍ଵରଙ୍କୁ, ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଏକ ଗୁରୁଦାୟିତ୍ଵ ଦେଇଛନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।  ମନ୍ତ୍ରୀପଦ ହରାଇଲେ ପ୍ରତାପ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାରୁ ଦୁଇ ନୂଆ ମୁହଁଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳିଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ କ୍ୟାବିନେଟ୍‌ରୁ ପ୍ରତାପ କାହିଁକି ବାଦ୍ ପଡ଼ିଲେ ତାକୁ ନେଇ ଏବେ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। କୁହାଯାଉଛି ପ୍ରତାପଙ୍କ ଦୁଇବର୍ଷ ମନ୍ତ୍ରୀତ୍ଵର ରିପୋର୍ଟ କାର୍ଡରେ ସନ୍ତୁଷ୍ଟ ନାହାନ୍ତି ପ୍ରଧାନମନ୍ତ୍ରୀ।

ଅପରିବର୍ତ୍ତିତ ରହିଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରୁ କେନ୍ଦ୍ର କ୍ୟାବିନେଟ୍‌ରେ ପେଟ୍ରୋଲିୟମ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ ସମ୍ଭାଳୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ଦିନକୁ ଦିନ ଦେଶରେ ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍‌ପିଜି ଆଦିର ଦରଦାମ୍ ବଢ଼ି ଚାଲିଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ଜନତା। ତେଣୁ କ୍ୟାବିନେଟ୍ ସମ୍ପ୍ରସାରଣରେ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇପାରେ କିମ୍ଵା ଅନ୍ୟ କୌଣସି ମନ୍ତ୍ରାଳୟକୁ ବଦଳ କରାଯାଇ ପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ମୋଦୀଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

LEAVE A REPLY

Please enter your comment!
Please enter your name here