ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ତାଙ୍କ ମନ୍ତ୍ରିମଣ୍ଡଳର ଯେଉଁ ନବକଳେବର କରିଛନ୍ତି ତାହା ସବୁଠାରୁ ବଡ଼ କସରତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କୋଭିଡ୍ ପରିପ୍ରେକ୍ଷୀରେ ବିଭିନ୍ନ ବିଫଳତା ଏବଂ ଦରଦାମ୍ ବୃଦ୍ଧି ଯୋଗୁଁ କିଛି ଦିନ ଧରି ତାଙ୍କ ସରକାର ସମାଲୋଚନାର ଶିକାର ହୋଇ ଆସୁଥିଲା। ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀ କ୍ୟାବିନେଟର ଏକ ଆମୂଳଚୂଳ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି।ମୋଦୀଙ୍କ ନୂଆ ଟିମ୍‌ରେ ଓଡ଼ିଶାକୁ ଯେଉଁ ପ୍ରତିନିଧିତ୍ୱ ମିଳିଛି ତାହା ସନ୍ତୋଷଜନକ ନିଶ୍ଚିତରେ। ଓଡ଼ିଶାକୁ ମୋଦୀ ବରାବର ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ଦଳ ପକ୍ଷରୁ ଯେଉଁ ଥିଓରୀ ପ୍ରଚାରିତ ହୋଇଆସିଛି ତାହାର ପ୍ରମାଣ ଏଠି ମିଳିଛି। ପୂର୍ବରୁ ରାଷ୍ଟ୍ରମନ୍ତ୍ରୀ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପରିଷଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଜଣେ କ୍ୟାବିନେଟ ମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ପ୍ରତିନିଧିତ୍ୱ ପାଇଛନ୍ତି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ କରିବା ସହିତ ଆଦିବାସୀ ବ୍ୟାପାର ବିଭାଗ ମିଳିଛି।

ଦେଖିବାକୁ ଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି ଯଦିଓ ଶିକ୍ଷା ମନ୍ତ୍ରୀ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ବିହାରର ରାଜ୍ୟସଭା ସାଂସଦ ଅଛନ୍ତି। କିନ୍ତୁ ସେ ଜଣେ ଓଡ଼ିଆ ପୁଅ।ମୟୂରଭଞ୍ଜକୁ ତିନି ଦଶନ୍ଧି ପରେ ମନ୍ତ୍ରୀପଦ

ବିଶ୍ଵେଶ୍ଵର ଟୁଡୁଙ୍କୁ ମନ୍ତ୍ରୀ କରାଯିବା ସହ ତିନି ଦଶନ୍ଧି ପରେ ମୟୂରଭଞ୍ଜ ଜିଲ୍ଲାକୁ ମିଳିଛି କେନ୍ଦ୍ରମନ୍ତ୍ରୀ ପଦ। ନବେ  ଦଶକରେ ଜିଲ୍ଲାରୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ଭାଗେ ଗୋବର୍ଦ୍ଧନ। ଏହାପରଠାରୁ ସୁଶୀଳା ତିରିଆ, ସାଲଖନ ମୁର୍ମୁ, ସୁଦାମ ମାର୍ଣ୍ଡି, ଲକ୍ଷ୍ମଣ ଟୁଡୁ ଓ ରାମଚନ୍ଦ୍ର ହାଂସଦା ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କେହି ମନ୍ତ୍ରୀପଦ ପାଇନଥିଲେ। ଇଞ୍ଜିନିୟରରୁ ରାଜନେତା ହୋଇଥିବା ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ଵେଶ୍ଵର ଟୁଡୁ ସାଂସଦ ହେବାର ଦୁଇ ବର୍ଷ ମଧ୍ୟରେ ହିଁ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରଠାରୁ ମୟୂରଭଞ୍ଜକୁ ଟାର୍ଗେଟ୍‌ କରିଆସିଥିଲା ଦଳ। ୨୦୧୫ରେ ଏହି ଜିଲ୍ଲାର ଟାଣୁଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ଵ ମିଳିଥିଲା। ବିଜେପିର ଏହି ଗୋଟି ଚାଳନା ଆଦିବାସୀ ସଂପ୍ରଦାୟ ଓ ମହିଳା ଗୋଷ୍ଠୀଙ୍କୁ ଟାଣିବାରେ ସମର୍ଥ ହୋଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହାର ଫାଇଦା ବି ମିଳିଥିଲା। ଜିଲ୍ଲାରେ ଶାସକ ଦଳ ବିଜେଡିକୁ  ପରାସ୍ତ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହା‌ତେଇ ଥିଲା ବିଜେପି।

୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଏହି ସଫଳତାକୁ ଦୋହରାଇଥିଲା ବିଜେପି। ଯଶିପୁର, ସାରସକଣା, ରାଇରଙ୍ଗପୁର, ଉଦଳା, ବାରିପଦା, ବଡ଼ସାହି ଭଳି ୬ଟି ବିଧାନସଭା ଆସନ ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେପି ପ୍ରାର୍ଥୀମାନେ ଜିତିଥିଲେ।ପଶ୍ଚିମ ଓଡ଼ିଶା ନେତୃତ୍ଵଙ୍କୁ ମିଳିଲାନି ମନ୍ତ୍ରୀପଦ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ମନ୍ତ୍ରୀ ପରିଷଦରେ ପଶ୍ଚିମ ଓଡ଼ିଶାର ଜଣେ ହେଲେ ବି ସାଂସଦ ସ୍ଥାନ ପାଇନାହାନ୍ତି। ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ ଏବଂ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ପଶ୍ଚିମ ଓଡ଼ିଶାରୁ ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ସୁଦ୍ଧା, କାହାରିକୁ ନିଜ ନୂଆ ଟିମରେ ନେଇନାହାନ୍ତି ପ୍ରଧାନମନ୍ତ୍ରୀ। ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଂଗୀତା ସିଂହଦେଓ, ନିତେଶ ଗଙ୍ଗଦେବ ଲୋକସଭାରେ ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ସାଂସଦମାନଙ୍କ ପ୍ରଦର୍ଶନ ମଧ୍ୟ ବେଶ ଭଲ ରହିଥିଲା।ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶାରୁ କାହାରିକୁ ନିଆଯାଇନଥିଲା। ତେଣୁ ଦ୍ଵିତୀୟ ଥର ଅଦଳବଦଳରେ ଜଣେ କାହାକୁ ସୁଯୋଗ ମିଳିବ ବୋଲି ଆକଳନ ହେଉଥିଲା। କିନ୍ତୁ ଏ ଅନୁମାନ ଭୁଲ ପ୍ରମାଣିତ ହୋଇଛି। ବିଜେପିର ଗଡ଼ କୁହାଯାଉଥିବା ପଶ୍ଚିମ ଓଡ଼ିଶା ଏହି ଅବହେଳାକୁ କିଭଳି ନେଉଛି ତାହା ଆଗକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିବ।

Comment