ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗତ ଦେଢ଼ ବର୍ଷ ଧରି କୋଭିଡ ମହାମାରୀ ସାରା ବିଶ୍ଵ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି। ପ୍ରତିଦିନ ହଜାର ହଜାର ବ୍ୟକ୍ତି ଏହାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେଣୁ ଏହି ଅଦୃଶ୍ୟ ଭୂତାଣୁର ମୁକାବିଲା ପାଇଁ ଓ୍ୱାଶିଂଟନରୁ ନୂଆଦିଲ୍ଲୀ ସବୁଠି ବ୍ୟାପକ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ କରୋନା ଚେନକୁ ଭାଙ୍ଗିବା ପାଇଁ  ଟିକା, ମାସ୍କ ଏବଂ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ତେବେ ଏହାଠାରୁ ଅତ୍ୟଧିକ ବିପଦ ହେଉଛି  ଜଳବାୟୁ ପରିବର୍ତ୍ତନ।

ଭାରତରେ ପ୍ରବଳ ଥଣ୍ଡା ପାଇଁ ପ୍ରତିବର୍ଷ ୬ ଲକ୍ଷ ୫୫ହଜାର ୪୦୦ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଅତ୍ୟଧିକ ଗରମ ଯୋଗୁଁ ୮୩ ହଜାର ୭୦୦ ଜଣଙ୍କର ମୃତ୍ୟୁ ହେଉଛି। ୨୦୦୦ ମସିହାରୁ ୨୦୧୯ ମସିହା ମଧ୍ୟରେ ହୋଇଥିବା ଏକ ସର୍ଭେର ରିପୋର୍ଟ ଅନୁସାରେ ଏହା ଧାର୍ଯ୍ୟ କରାଯାଇଛି। ବିଗତ ୧୦ବର୍ଷ ମଧ୍ୟରେ ତାପମାତ୍ରା ସାରା ବିଶ୍ୱରେ ୦.୨୬ଡିଗ୍ରୀ ସେଲସିୟସ ବଢ଼ିଥିବା ଜଣାପଡ଼ିଛି।ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜଣାପଡ଼ିଛି। କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ତୁଳନାରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ଲୋକଙ୍କ ମୃତ୍ୟୁ ହେଉଛି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି। ସାଧାରଣତଃ ଏହି ପ୍ରସଙ୍ଗଟିକୁ ନେଇ ଯେତିକି ଆଲୋଚନା ହେବା କଥା ତାହା ହେଉନାହିଁ। ଜଳବାୟୁ ପରିବର୍ତ୍ତନ ଦ୍ୱାରା କେତେ ଲୋକ ଆଖି ବୁଜୁଛନ୍ତି, ସେ ନେଇ ଯେଉଁ ରିପୋର୍ଟ ଆସିଛି ତାହା କୋଭିଡ ତୁଳନାରେ  ଅଧିକ ଚିନ୍ତାଜନକ ବିଷୟ।

ରିପୋର୍ଟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭାରତ ଗମ୍ଭୀର ଭାବରେ ପ୍ରଭାବିତ ହେଉଛି। ପ୍ରତିବର୍ଷ ପ୍ରବଳ ଥଣ୍ଡା କିମ୍ୱା ଗରମ ପାଇଁ ୭ ଲକ୍ଷରୁ ଅଧିକ ଭାରତୀୟଙ୍କ ମୃତ୍ୟୁ ହେଉଥିବା ଏହି ଗବେଷଣାରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟର ଗବେଷକଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରର ଏକ ଟିମ୍ ଭାରତର ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅନୁଧ୍ୟାନ କରିଥିଲା।ଅସହ୍ୟ ତାପମାନ ପାଇଁ ସାରା ଦୁନିଆରେ ୫୦ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଯଦି ଏବେ କରୋନା ସଂକ୍ରମଣର ବାର୍ଷିକ ମୃତ୍ୟୁ ସଂଖ୍ୟାକୁ ଦେଖିବା ତାହେଲେ ଜଳବାୟୁ ପରିବର୍ତ୍ତନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଲାନସେଣ୍ଟ ମିଡିଆରେ ପ୍ରକାଶିତ ହୋଇଥିବା ଅନୁଧ୍ୟାନରେ କୁହାଯାଇଛି ୨୦୦୦ ରୁ ୨୦୦୯ ମଧ୍ୟରେ ପାଣିପାଗର ପରିବର୍ତ୍ତନ ଓ ତାପମାତ୍ରା ବଢ଼ିବା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି  ରିପୋର୍ଟରେ କୁହାଯାଇଛି।

Comment