ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟେଟବ୍ୟାଙ୍କ ପକ୍ଷରୁ ତୈଳ ଦର ବୃଦ୍ଧି ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏସବିଆଇର ଇକୋନୋମିକ ଓ୍ୱିଙ୍ଗ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ଯଦି ପେଟ୍ରୋଲିୟମ ଉତ୍ପାଦ ଉପରୁ ଟିକସ ପ୍ରତ୍ୟାହାର ନହୁଏ ତେବେ କୋଭିଡବେଳେ ସ୍ଥିତି ଆହୁରି ଖରାପ ହୋଇପାରେ।

କରୋନା ମହାମାରୀ ଦାଉ ସାଧୁଛି। ଏହି ସମୟରେ ରୋଜଗାର ବନ୍ଦ ହୋଇଥିବାବେଳେ ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳୁନାହିଁ। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ। ଏକାଧିକ ସହରରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି। ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଲାଣି। କିଛି ସହରରେ ପେଟ୍ରୋଲ ଦାମ ୧୧୨ଟଙ୍କା ହୋଇଥିବାବେଳେ ଡିଜେଲ ଦର ଲିଟର ପିଛା ୧୦୩ ଟଙ୍କା ଅତିକ୍ରମ କଲାଣି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ଟଙ୍କା ୯୧ ପଇସା ରହିଛି। ସେହିଭଳି ଡିଜେଲ ଲିଟର ପିଛା ୮୯.୮୮ ଟଙ୍କାରେ ବିକ୍ରି କରାଯାଉଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଛୁଇଁବାକୁ ବସିଲାଣି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୧୦୧.୬୭ ଟଙ୍କା ଓ ଡିଜେଲ ଦାମ ୯୪.୩୯ ଟଙ୍କା ରହିଛି। ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୧୦୪.୨୯ ଟଙ୍କା ଓ ଡିଜେଲ ଦାମ ୯୫.୨୬ ଟଙ୍କା ରହିଛି। କୋଲକାତାରେ ମଧ୍ୟ ସମାନ ଅବସ୍ଥା।ଚଳିତ ମାସରେ ତୈଳ ଦର ସମଗ୍ର ଦେଶରେ ୭ଥର ବଢ଼ିଲାଣି। ବର୍ତ୍ତମାନ ଦେଶର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ଉଲ୍ଲେଖ କରାଯାଇପାରେ ଯେ ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦର ବୃଦ୍ଧି ନେଇ କହି ଆସୁଥିଲେ ଯେ କୋଭିଡ ପାଇଁ ବିଭିନ୍ନ ସଂସ୍ଥା ବନ୍ଦ ରହିଛି ଏବଂ ବିକାଶମୂଳକ କାମ ତଥା ଟିକାକରଣ ପାଇଁ ଅର୍ଥର ଆବଶ୍ୟକ ରହିଛି। ତେଣୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଟିକସ ପ୍ରତ୍ୟାହର କରିବା ସମ୍ଭବ ହେଉନାହିଁ।  ଅର୍ଥାତ୍ ଦେଶର ଅର୍ଥନୀତିକ ବିକାଶ ଏବଂ ଅଭିବୃଦ୍ଧି ପାଇଁ ତେଲ ଉପରେ କେନ୍ଦ୍ର ସରକାର ଟିକସ ବସାଇବାକୁ ବାଧ୍ୟ ହେଉଛନ୍ତି।ଅନ୍ୟପକ୍ଷରେ ଏସବିଆଇ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଏବେ ପ୍ରତ୍ୟେକ ପରିବାର ପେଟ୍ରୋଲ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ତେଲ ଦର ବଢ଼ିବା ଫଳରେ ଅନ୍ୟାନ୍ୟ ଜିନିଷର ଦାମ ମଧ୍ୟ ବଢ଼ିଛି ଯାହା ଫଳରେ କି ଖାଇବା ସାମଗ୍ରୀର ଦାମ ବଢିଛି। ତେଣୁ ଲୋକମାନେ ଘରୋଇ ଖର୍ଚ୍ଚ କମ୍ କରୁଛନ୍ତି।  ଏହା ଦ୍ୱାରା ସଞ୍ଚୟ କମିଯାଇଛି। ତେଣେ କୋଭିଡ ଯୋଗୁଁ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ଖର୍ଚ୍ଚ କରିବାକୁ ଲୋକଙ୍କ ପାଖରେ ସଞ୍ଚିତ ଅର୍ଥ ରହୁନାହିଁ। ଯାହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡୁଛି ବୋଲି ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏଣୁ ପରୋକ୍ଷରେ ପେଟ୍ରୋଲିୟମ ସାମଗ୍ରୀ ଉପରୁ ଟିକସ ଉଠାଇବା ପାଇଁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯାହାକି ଯଥାର୍ଥ ଓ ସମୟପଯୋଗୀ।

LEAVE A REPLY

Please enter your comment!
Please enter your name here