ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀକୁ ନେଇ ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଥିବାବେଳେ ଏହା କିଭଳି ସାମାଜିକ ସ୍ତରରେ ଏକ ଅସନ୍ତୁଳନ ସୃଷ୍ଟି କରିଛି ସେ ନେଇ ବହୁ ତଥ୍ୟ ମଧ୍ୟ ଆସୁଛି। କୋଭିଡ୍‌ ମହାମାରୀ ଯୋଗୁଁ ଅନେକ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏମିତିକି ପରିବାର ଚଳାଇବା ପାଇଁ ପିଲାଙ୍କ ସହାୟତା ନେବାକୁ ବାଧ୍ୟ ହେଉଛନ୍ତି ଅଭିଭାବକ। ତେଣୁ ପୂର୍ବରୁ ସ୍କୁଲ ଆସୁଥିବା ୮ ପ୍ରତିଶତ ବିଦ୍ୟାର୍ଥୀ ଆଉ ସ୍କୁଲକୁ ଫେରିବେ ନାହିଁ ବୋଲି ୟୁନିସେଫ ପକ୍ଷରୁ ଆଶଙ୍କା କରାଯାଇଛି।

ଦେଶର ୬ଟି ରାଜ୍ୟକୁ ନେଇ ୟୁନିସେଫ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ମହାମାରୀରେ ୧୪ରୁ ୧୮ ବର୍ଷର ୮୦ ପ୍ରତିଶତ ବିଦ୍ୟାର୍ଥୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସେମାନଙ୍କ ପରିବାରର ଅବସ୍ଥା ଆଗରୁ ଯେଉଁଭଳି ଥିଲା, ବର୍ତ୍ତମାନ ତାହା ନାହିଁ। ଅନୁସୂଚିତ ଜାତି-ଜନଜାତିଙ୍କ ଅବସ୍ଥା ତ ଆହୁରି ଗମ୍ଭୀର। ପ୍ରାୟ ୬୦ ପ୍ରତିଶତ ପ୍ରବାସୀ ଅଭିଭାବକଙ୍କ ସନ୍ତାନ ଏବଂ ୫୩ ପ୍ରତିଶତ ଅନୁସୂଚିତ ଜନଜାତି ପରିବାରର ପିଲାମାନଙ୍କ ସ୍ଥିତି ପୂରା ବିଗିଡ଼ି ଯାଇଛି। ନିକଟରେ ପ୍ରାୟ ୧୦ ପ୍ରତିଶତ ପରିବାର ନିଜ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ସାମର୍ଥ୍ୟ ନାହାଁନ୍ତି। ୬ ପ୍ରତିଶତ ପରିବାର ଅନ୍ୟ ଉପାୟ ନପାଇ ଉପାର୍ଜନ ପାଇଁ ନିଜ ପିଲାଙ୍କ ସହାୟତା ନେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଅନେକ ଅଭିଭାବକ ମତ ଯେ ତାଙ୍କ ପିଲା ସ୍କୁଲ ତୁଳନାରେ ଅନଲାଇନ୍‌ରେ କମ୍‌ ପାଠ ପଢୁଛନ୍ତି।

ୟୁନିସେଫ ରିପୋର୍ଟ ଅନୁସାରେ ଶିକ୍ଷକମାନେ ମଧ୍ୟ ଏକାଭଳି ମତ ଦେଇଛନ୍ତି। ୬୭ ପ୍ରତିଶତ ଶିକ୍ଷକଙ୍କ କହିବା କଥା ସାମଗ୍ରିକ ଭାବରେ ବିଦ୍ୟାର୍ଥୀଙ୍କ ପାଠର ସ୍ତର ହ୍ରାସ ପାଇଛି। କୋଭିଡ୍‌ ମହାମାରୀ ଯୋଗୁଁ ଦେଢ ବର୍ଷ ହେଲା ସ୍କୁଲ ବନ୍ଦ ରହିଛି। ପୂର୍ବରୁ ଶ୍ରେଣୀରେ ଯାହା ପଢାଯାଉଥିଲା ବର୍ତ୍ତମାନ ତାହା ଅନଲାଇନ ମାଧ୍ୟରେ ପଢ଼ା ଯାଉଛି।୨୦୨୦ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ପୁନର୍ବାର ସ୍କୁଲ ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। କିନ୍ତୁ ଦ୍ଵିତୀୟ ଲହର ଯୋଗୁଁ ଏପ୍ରିଲ ମାସରେ ପୁନର୍ବାର ସ୍କୁଲ ବନ୍ଦ ହୋଇଗଲା। ବାଧ୍ୟ ହୋଇ ବିକଳ୍ପ ପଦ୍ଧତି ସ୍ବରୂପ ପିଲାମାନଙ୍କୁ ଅନଲାଇନ, ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ାଗଲା। ଯାହାର ଫାଇଦା ସମସ୍ତଙ୍କୁ ମିଳିଲା ନାହିଁ। ରିପୋର୍ଟ ଅନୁସାରେ, ୧୦ ପ୍ରତିଶତ ବିଦ୍ୟାର୍ଥୀ ସ୍ମାର୍ଟ ଫୋନ, କମ୍ପୁଟର, ଲାପ୍‌ଟପ୍‌, ଟେଲିଭିଜନ କିମ୍ବା ରେଡିଓ ସହିତ ଆଦୌ ଅଭ୍ୟସ୍ତ ନୁହଁନ୍ତି। ୪୫ ପ୍ରତିଶତ ଏତିକି ମଧ୍ୟ ଜାଣନ୍ତି ନାହିଁ ଯେ ସେମାନେ କେଉଁ ଡିଭାଇସରେ ପଢ଼ିବେ। ୪୦ ପ୍ରତିଶତ ଛାତ୍ରଛାତ୍ରୀ ଗତ ୬ ମାସ ମଧ୍ୟରେ କୌଣସି କମ୍ପ୍ୟୁଟର ଉପକରଣର ବ୍ୟବହାର କରି ନାହାନ୍ତି।

ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି, ତାହା ଆହୁରି ଚିନ୍ତାଜନକ। ପ୍ରାୟ ୮ ପ୍ରତିଶତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ ସ୍ମାର୍ଟଫୋନ କିମ୍ବା ଲାପ୍‌ଟପ୍‌ ନାହିଁ। ୩୩ ପ୍ରତିଶତ ଏହାର ଉପକାର ପାଇ ପାରୁନାହାଁନ୍ତି। ଛାତ୍ରଙ୍କ ତୁଳନାରେ ୮ ପ୍ରତିଶତ କମ୍‌ ଛାତ୍ରୀ ୟୁଟ୍ୟୁବରେ ପାଠ ପଢିପାରୁଛନ୍ତି। ପ୍ରାୟ ୩୦ରୁ ୪୦ ପ୍ରତିଶତ ବିଦ୍ୟାର୍ଥୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ ଯୋଗାଯୋଗରେ ନାହାଁନ୍ତି। ସହର ତୁଳନାରେ ଗାଁର ବିଦ୍ୟାର୍ଥୀ ନିଜ ଶିକ୍ଷକ-ଶିକ୍ଷୟିତ୍ରୀଙ୍କଠାରୁ ଆହୁରି ଦୂରେଇ ଯାଇଛନ୍ତି।

ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ୟୁନିସେଫ୍‌ ପକ୍ଷରୁ ଦୀର୍ଘ ଏବଂ ସ୍ଵଳ୍ପକାଳୀନ ପଦକ୍ଷେପ ପାଇଁ ବିଭିନ୍ନ ପ୍ରକାର ସୁପାରିସ କରାଯାଇଛି। ଏଥିମଧ୍ୟରେ ପାଠ୍ୟପୁସ୍ତକ ବଣ୍ଟନ, ଖୋଲା ପରିବେଶରେ ବିଦ୍ୟାର୍ଥୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆଲୋଚନା, କୋହଳ ଦରରେ ଇଣ୍ଟରନେଟ ଡାଟା ବ୍ୟବସ୍ଥା, ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା, ଅନଲାଇନରେ ପିଲାଙ୍କ ଶିକ୍ଷା କେତେ ପ୍ରଭାବିତ ହୋଇଛି ଏହାକୁ ନେଇ ଆକଳନ, ବିଦ୍ୟାର୍ଥୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ, କମ ଦାମରେ ୨-ଜି ଫୋନ ବ୍ୟବସ୍ଥା ଆଦି ଏଥିରେ ରହିଛି। କୋଭିଡରେ ସ୍କୁଲ ବନ୍ଦ ଯୋଗୁଁ ବିଦ୍ୟାର୍ଥୀମାନେ ଉଭାନ ହେବାରେ ଲାଗିଛନ୍ତି ଯାହାକି ଘୋର ଉଦବେଗର ବିଷୟ। ସରକାର ତୁରନ୍ତ ଏହି ସମସ୍ୟା ଉପରେ ଧ୍ୟାନ ଦେବା ଦରକାର।

Comment