ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ବେଳେ ଓଡିଶା ସମେତ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥା କିଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି ତାର ଏକ ଗମ୍ଭୀର ରିପୋର୍ଟ ଆସିଛି। ପ୍ରାୟ ଦେଢ ବର୍ଷ ହେବ ସ୍କୁଲ କଲେଜ ବନ୍ଦ ହୋଇ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଦୋକାନ, ବଜାର, ମଲ୍, ଧାର୍ମିକ ଅନୁଷ୍ଠାନ, ସିନେମା ହଲ ଇତ୍ୟାଦିକୁ ଖୋଲିବା ଲାଗି ଅନୁମତି ଦିଆଯାଇଥିବାବେଳେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକୁ ଖୋଲିବାକୁ ଅନୁମତି ମିଳିନାହିଁ। ସ୍ୱାଭାବିକ ଭାବରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହା ଏକ ବାସ୍ତବ ସ୍ଥିତି ହୋଇଥିବାରୁ ତୁରନ୍ତ ସ୍କୁଲ ଖୋଲିବାକୁ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି।

ସଙ୍ଗଠନ ପକ୍ଷରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ସ୍କୁଲ ବନ୍ଦ ରହିବା ହେତୁ ଆଦିବାସୀ, ଦଳିତ, ସାଧାରଣ କୃଷକ, ନିର୍ମାଣ ଶ୍ରମିକ ଓ ଦାଦନ ଶ୍ରମିକ ଶ୍ରେଣୀର ପିଲାମାନେ ସମ୍ପୂର୍ଣ୍ଣ ପାଠପଢା ଛାଡିଦେଲେଣି। ଅଧିକ ଦିନ ସ୍କୁଲ ବନ୍ଦ ରହିଲେ ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବା କଷ୍ଟକର ହୋଇଯିବ ବୋଲି ରିପୋର୍ଟ କହୁଛି। ନିକଟରେ ଓଡିଶା ସମେତ ୧୫ଟି ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୦୦ ପିଲାଙ୍କୁ ନେଇ “ଲକ୍‌ଆଉଟ ଏମର୍ଜେନ୍ସି ରିପୋର୍ଟ ଅନ ସ୍କୁଲ ଏଜୁକେଶନ” ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ୩୬ ପ୍ରତିଶତ ଓ ସହରାଞ୍ଚଳରେ ୧୯ ପ୍ରତିଶତ ପିଲା କରୋନା ସମୟରେ ଆଦୌ ପାଠ ପଢିନାହାନ୍ତି।ଏଥିସହ ଗ୍ରାମାଞ୍ଚଳରେ ୪୮ ପ୍ରତିଶତ ଓ ସହରାଞ୍ଚଳରେ ୪୨ ପ୍ରତିଶତ ପିଲା ଅଳ୍ପ କିଛି ବାକ୍ୟ ପଢିପାରୁଛନ୍ତି। ପିଲାମାନଙ୍କର ଲେଖିବା ଓ ପଢିବା ଅଭ୍ୟାସ ବି ଆଉ ନାହିଁ କହିଲେ ଚଳେ। ଏହି ସର୍ବେକ୍ଷଣ ଅନୁସାରେ, ସହରାଞ୍ଚଳରେ କେବଳ ୨୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି। ସେମାନଙ୍କ ମଧ୍ୟରୁ ବେଶ କେତେକ ଛାତ୍ରଛାତ୍ରୀ ଡିଜିଟାଲ ବୈଷମ୍ୟର ଶିକାର ହେଉଛନ୍ତି। ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିବା ହେତୁ ସେମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ବା ନିୟମିତ ଡାଟା କାର୍ଡକୁ ରିଚାର୍ଜ କରିପାରୁନାହାନ୍ତି।

ସେପଟେ ପାଠ ପଢ଼ିବାରେ ଆଉ ଏକ ବାଧକ ସାଜିଛି ମୋବାଇଲ ନେଟୱର୍କ। ମୋବାଇଲ ଟାୱାର ନ ଥିବା କାରଣରୁ ପିଲାମାନେ ଅନଲାଇନ ସୁବିଧା ପାଉନାହାନ୍ତି। ଏହା ଦ୍ଵାରା ସମ୍ବିଧାନର ଧାରା ୨୧ – ଏ ଅନୁସାରେ ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ବ୍ୟବସ୍ଥାଗତ ଅଧିକାରର ଉଲ୍ଲଂଘନ ହେଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ୯୭ ଭାଗ ଓ ସହରାଞ୍ଚଳରେ ୯୦ ଭାଗ ପିତାମାତା ପିଲାଙ୍କୁ ଶ୍ରେଣୀ ଗୃହରେ ଶିକ୍ଷା ପ୍ରଦାନ ନିମନ୍ତେ ମତ ପ୍ରକାଶ କରିଛନ୍ତି। କୋଭିଡ ଲକଡାଉନ୍‌ ପୂର୍ବରୁ ଓଡିଶା, ମଧ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳରେ ମାତ୍ର ୫ରୁ ୧୦ ପ୍ରତିଶତ ଲୋକ ଇଣ୍ଟେରନେଟ ବ୍ୟବହାର କରିଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶିତ ହୋଇଥିଲା। ଏଣୁ ଅନଲାଇନ ପାଠପଢ଼ା ଧର୍ମକୁ ଆଖିଠାର ଭଳି।

କରୋନା ମହାମାରୀ ଯୋଗୁଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅନେକ ଛାତ୍ରଛାତ୍ରୀ ଦେଢବର୍ଷର ମୂଲ୍ୟବାନ ସମୟ ହରାଇଛନ୍ତି। ବିଶେଷକରି ଦଳିତ, ଆଦିବାସୀ, ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ତାରତମ୍ୟର ଶିକାର ହେବା ନିଶ୍ଚିତ। ମଣିଷର ବିକାଶ ଦିଗରେ ପ୍ରାଥମିକ ଶିକ୍ଷା ବିଶେଷ ଗୁରୁତ୍ୱପୂର୍ଣ ହୋଇଥିଲେ ମଧ୍ୟ ସରକାର ସ୍କୁଲଗୁଡିକୁ ନ ଖୋଲିବା ଦ୍ଵାରା ‘ସମସ୍ତଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା’ ସାମ୍ବିଧାନିକ ଅଧିକାରର ଘୋର ଉଲ୍ଲଙ୍ଘନ ହେଉଛି। ଏଣୁ ଏହି ସମସ୍ୟାକୁ ରାଜ୍ୟ ସରକାର ଗୁରୁତ୍ୱର ସହିତ ବିଚାରକୁ ନେବା ଆବଶ୍ୟକ।

Comment