ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଗଣଶିକ୍ଷକମାନଙ୍କ ଦରମା ବୃଦ୍ଧି ହୋଇଛି। ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର। ସେହିପରି ଓଟିଇଟି ପାସ୍ କରିଥିବା ଗଣଶିକ୍ଷକଙ୍କୁ ନିୟମିତ କରାଯିବ। ଏହଦ୍ଵାରା ରାଜ୍ୟର ମୋଟ ୧୨ ହଜାର ୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବେ ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକମାନେ ମାସିକ ଦରମା ୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ପାଇବେ।

ସେହିପରି ଓଟିଇଟି ପାସ୍ କରିଥିବା ଗଣଶିକ୍ଷକମାନେ ଏବେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିୟମିତ ହେବେ। ସେମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମଧ୍ୟ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧,୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ।

ଅନ୍ୟପଟେ ଯେଉଁ ସହକାରୀ ଶିକ୍ଷକମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ, ସେମାନଙ୍କ ମଧ୍ୟରୁ ଓଟିଇଟି ପାସ କରିଥିବା ସହକାରୀ ଶିକ୍ଷକମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ। ରାଜ୍ୟର ମୋଟ ୯,୫୨୦ ଜଣ ସହକାରୀ ଶିକ୍ଷକ ଏହି ସୁବିଧା ପାଇବେ।

ଦରମା ବୃଦ୍ଧି ଓ ଚାକିରି ନିୟମିତ କରିବା ନେଇ ଗଣଶିକ୍ଷକମାନେ ଅନେକ ଦିନରୁ ଦାବି କରି ଆସୁଥିଲେ। ଏବେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ବିଚାରକୁ ନେଇ ଏହାକୁ ଅନୁମୋଦନ କରିଛନ୍ତି।

Tags: #Teachers #SalaryIncrement #Schools #Education #SMEOdisha

Comment