ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ୩୩୮ଟି ବ୍ଲକସ୍ତରୀୟ ମହାସଂଘର ନିଜସ୍ଵ ଘର ନିର୍ମାଣ ପାଇଁ ୫୦ ଲକ୍ଷ ଲେଖାଏଁ ସହାୟତା ସମେତ ଆବର୍ତ୍ତନ ପାଣ୍ଠି ବାବଦକୁ ୮୪.୫୦ କୋଟି ଓ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି ହେଉଛି ଓଡ଼ିଶାର ୭୦ ଲକ୍ଷ ମାଆ ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡ଼ିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।”କୋଭିଡ ସମୟରେ ମିଶନ ଶକ୍ତିର ମାଆମାନେ ବହୁତ ଭଲ କାମ କରିଛନ୍ତି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯୋଜନା ଅନୁଯାୟୀ ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ସେମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ, କୋଭିଡ ସମୟରେ ମହିଳାମାନେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାଠାରୁ ଆରମ୍ଭକରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି।  ମା’ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ ଓ  ଗୋଟିଏ ଜାତି ସଶକ୍ତ ହେବ। ଏହାଦ୍ୱାରା ଇତିହାସର ଧାରା ମଧ୍ୟ ବଦଳିଯିବ। ଏହି କାରଣରୁ ବିଜୁ ଜନତା ଦଳ ସରକାର ମିଶନ ଶକ୍ତି ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସିଛନ୍ତି। ଜୀବନଜୀବିକାଠାରୁ ଆରମ୍ଭକରି ବିଭିନ୍ନ ବିକାଶ କାମରେ ଓଡ଼ିଶାର ମହିଳାମାନେ ସାମିଲ ହୋଇ ଖୁବ ଉତ୍ତମ କାମ କରିଛନ୍ତି।କୋରାପୁଟର ବୋରିଗୁମ୍ମାଠାରୁ ଆରମ୍ଭକରି କଟକର ନିଆଳି ପର୍ଯ୍ୟନ୍ତ ବ୍ଳକ ସ୍ତରୀୟ ମହାସଂଘର ମା’ମାନଙ୍କର କାମ ଦେଖି, ଯେ କେହି ଗର୍ବ ଅନୁଭବ କରିବ। ବସ୍ତୁତଃ, ଓଡ଼ିଶାର ମିଶନ ଶକ୍ତି ବିଭାଗ  ଏସଏଚଜି ଗୋଷ୍ଠୀର ସଦସ୍ୟମାନଙ୍କ ହାତ ମୁଠା ଟାଣ କରିବା କ୍ଷେତ୍ରରେ ଭାରତରେ ଏକ ଉଦାହରଣ ସୃଷ୍ଟି କରିଛି। ସୁତରାଂ, ମୁଖ୍ୟମନ୍ତ୍ରୀ ଯାହା କହିଥିଲେ, “ମୋର ବିଶ୍ୱାସ, ଦିନେ ଆପଣମାନଙ୍କ ଭିତରୁ ବଡ଼ ବଡ଼ ଉଦ୍ୟୋଗୀ ବାହାରିବେ’- ଏହା ଅମୂଳକ ନୁହେଁ।

Comment