ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ନିର୍ବାଚନମଣ୍ଡଳୀରେ ରବିବାର ଦିନ ବିଜେଡି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର୍ କରିବାକୁ ନେତାମାନେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ତଥା ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା ଏହି ସମ୍ମିଳନୀରେ ଯୋଗ ଦେଇ ସାଂଗଠନିକ କାର୍ଯ୍ୟ ଉପରେ ଫୋକସ୍ କରିବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ଦଳ ଏଥର ପଞ୍ଚାୟତ ନିର୍ବାଚନ ଲଢ଼ିବା ନେଇ ସମ୍ମିଳନୀରେ ଆଲୋଚନା ହୋଇଛି।ସେହିପରି ସୋସିଆଲ ମିଡିଆ ମାଧ୍ୟମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସବୁଠାରୁ ବଡ଼ କାର୍ଯ୍ୟ ବୋଲି କହିଥିଲେ ରାଜ୍ୟ କୃଷି ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ।

ଏହି ଦଳୀୟ ସମ୍ମିଳନୀରେ ଗଙ୍ଗାଧର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଦଳର ସାଂଗଠନିକ କାର୍ଯ୍ୟ ସଂପର୍କରେ ନିଜର ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଛାତ୍ର, ଯୁବ, ମହିଳା ଓ କୃଷି ଆଦି ସଂଗଠନର କର୍ମକର୍ତ୍ତାମାନେ ସମ୍ମିଳନୀରେ ଯୋଗ ଦେଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

Comment