ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୨୮ତାରିଖ ସୁଦ୍ଧା ପ୍ରକାଶ ପାଇବ ଅଫଲାଇନ ଦଶମ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଭାଗ ପକ୍ଷରୁ ସୂଚନା ରହିଛି। ଏଥିପାଇଁ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ ଖାତାର ମୂଲ୍ୟାୟନ ମଧ୍ୟ ସରିଛି।

ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଦଶମ ପରୀକ୍ଷା ବାତିଲ କରାଯାଇଥିଲା। ପରବର୍ତ୍ତୀ ସମୟରେ  ବିକଳ୍ପ ପଦ୍ଧତି ଆଧାରରେ ଏବଂ ସିବିଏସଇ ମୂଲ୍ୟାୟନ ପଦ୍ଧତିକୁ ଅନୁସରଣ କରି ଜୁନ ୨୫ ତାରିଖରେ ଦଶମ ରେଜଲ୍ଟ ପ୍ରକାଶ ପାଇଥିଲା। ପୂର୍ବ ବର୍ଷମାନଙ୍କର ପାସ୍ ହାରକୁ ଅତିକ୍ରମ କରି ଏଥର ପାସ୍ ହାର ୯୭.୮୯ ରହିଥିଲା। ହେଲେ ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା।

ସେମାନଙ୍କ ନିମନ୍ତେ ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୦୪ଟି ପରୀକ୍ଷା କେନ୍ଦ୍ରରେ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ଅପରପକ୍ଷରେ ପରୀକ୍ଷା ଦେବାର ୧୫ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା।

ତେବେ ଅଫଲାଇନ ପରୀକ୍ଷା ଦେବା ପାଇଁ ପ୍ରାୟ ୧୫ହଜାର ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comment