ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କୋରାପୁଟ ଜିଲ୍ଲା କଂଗ୍ରେସରେ କୁହୁଳୁଥିବା ବିବାଦ ନିଆଁ ଏବେ ରାଜ୍ୟ କଂଗ୍ରେସ ଭବନକୁ ବ୍ୟାପିଲାଣି। ଏହି ନିଆଁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି।

ଆଗକୁ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ସଜବାଜ ହେଉଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଛି। ଦଳ ଭିତରେ ଗୋଷ୍ଠୀ କନ୍ଦଳ ଏହି ଜାତୀୟ ଦଳ ପାଇଁ ମହଙ୍ଗା ପଡ଼ିଛି। ପଞ୍ଚାୟତ ନିର୍ବାଚନ ଯେତିକି ପାଖୋଉଛି, ଓଡ଼ିଶା କଂଗ୍ରେସରେ କନ୍ଦଳ ସେତିକି ଘନଉଛି।

ତାରା-ପ୍ରଦୀପ ମୁହାଁମୁହିଁ

ରାଜ୍ୟ କଂଗ୍ରେସର ପୁରୁଣା ରୋଗ ଏବେ ପୁଣି ବାହାରିଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ମୁହାଁମୁହିଁ ହୋଇଛନ୍ତି। ତାରା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ବେଳେ ପିସିସି ପକ୍ଷରୁ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସାମ୍ଵାଦିକ ସମ୍ମିଳନୀ କରି ତାରାଙ୍କୁ ତୀର ମାରିଛନ୍ତି।

“ନିରଞ୍ଜନ ପଟ୍ଟନାୟକଙ୍କ ବୟସ ହୋଇଗଲାଣି, ତେଣୁ ସେ ପିସିସି ପଦ ଛାଡ଼ିଦିଅନ୍ତୁ”, କହିଥିଲେ ତାରାପ୍ରସାଦ ବାହିନୀପତି।

“ତାରାପ୍ରସାଦ ବାହିନୀପତି ଆଦିବାସୀଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ରାଜନୀତି କରିବାକୁ ଚାହୁଁଛନ୍ତି”, କହିଥିଲେ ପ୍ରଦୀପ ମାଝି।

କ’ଣ ଥିଲା ପୂରା ଘଟଣା?

ନିକଟରେ କୋରପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଏକ ସାମ୍ଵିଦିକ ସମ୍ମିଳନୀ କରିଥିଲେ। ଏଥିରେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେଶିକା ଉପସ୍ଥିତ ଥିଲେ। କିନ୍ତୁ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ଏଠାରେ ଦେଖିବାକୁ ମିଳି ନଥିଲା। ଏହି ଘଟଣା ହିଁ କଂଗ୍ରେସରେ କନ୍ଦଳ ସୃଷ୍ଟି କରିଛି। କୈଳାଶ କୁଲେଶିକା କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ମଧ୍ୟ ସେ ସାଂସଦଙ୍କ ସାମ୍ଵାଦିକ ସମ୍ମିଳନୀରେ କିପରି ଉପସ୍ଥିତ ରହିଲେ ତାକୁ ନେଇ ମିନାକ୍ଷୀ ପ୍ରଶ୍ନ ଉଠାଇଥିଲେ। ଏନେଇ ପିସିସିଙ୍କୁ ମଧ୍ୟ ଜବାବ ମାଗିଥିଲେ। ହେଲେ ପିସିସି ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ମିନାକ୍ଷୀ ଏବଂ ତାଙ୍କ ବିଧାୟକ ସ୍ଵାମୀ ତାରା ବାହିନୀପତି ଦଳରେ ଝଡ଼ ସୃଷ୍ଟି କରିଛନ୍ତି। ବାହିନୀପତି ଦମ୍ପତି ସିଧାସଳଖ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବେ ବୋଲି କୋରାପୁଟ ଜିଲ୍ଲାର ଏହି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ବିବାଦ ସମାଦାନ ନ ହେବା ପର୍ଯ୍ୟନ୍ତ ପିସିସି ଅଫିସ ଯିବେନାହିଁ ବୋଲି ବାହିନୀପତି ରୋକ୍‌ଠୋକ୍‌ କହିଛନ୍ତି।ତାରାଙ୍କୁ ପିସିସିର ଜବାବ

କଂଗ୍ରେସରେ ତାରାପ୍ରସାଦ ବାହିନୀପତି ପିସିସି ସଭାପତିଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ପରେ ପିସିସି ପକ୍ଷରୁ ତାରାଙ୍କୁ ପାଲଟା ଜବାବ ଦିଆଯାଇଛି। ତାରା ଦଳରେ ବିଶୃଙ୍ଖଳା କରୁଛନ୍ତି। ବିଶୃଙ୍ଖଳାକାରୀଙ୍କ ପାଇଁ କଂଗ୍ରେସରେ କୌଣସି ସ୍ଥାନ ନାହିଁ ବୋଲି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସିଧା ସିଧା କହିଛନ୍ତି।

କନ୍ଦଳ କଂଗ୍ରେସ ପାଇଁ ନୂଆ ନୁହେଁ

କନ୍ଦଳ କଂଗ୍ରେସ ପାଇଁ କିଛି ନୂଆ କଥା ନୁହେଁ। କ୍ଷମତା ପାଇଁ ଏଠାରେ ନେତା ନେତାଙ୍କ ଭିତରେ ଲଢ଼େଇ ଚାଲୁଥିବାର ଅନେକ ନଜିର୍ ରହିଛି। ଏପରିକି ଅନେକ ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଯିଏ ସଭାପତି ପଦରେ ରହନ୍ତି ସେ ସର୍ବଗ୍ରହଣୀୟ ହୋଇ ନଥାନ୍ତି। ତେଣୁ ପିସିସି ସଭାପତି ବଦଳେଇବା ପାଇଁ କଂଗ୍ରେସ ନେତାମାନେ ବାରମ୍ଵାର ଦିଲ୍ଲୀ ଦୌଡ଼ିଥାନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ବଡ଼ କ୍ଷତି ସହିବା ପରେ ନିରଞ୍ଜନ ହଟାଅ ଅଭିଯାନ ଜୋର୍ ଧରିଥିଲା। ହେଲେ ଏହି ସ୍ଵର କିଛିମାସ ହେଲା ଥଣ୍ଡା ପଡ଼ିଥିଲା। କିନ୍ତୁ ଏବେ ତାରା ସପ୍ତଗିରି ଉଲ୍ଲାକାଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରି ନିରଞ୍ଜନଙ୍କୁ ଟାର୍ଗେଟ କରୁଛନ୍ତି।

ତୃତୀୟ ସ୍ଥାନରେ କଂଗ୍ରେସ

ବାରମ୍ଵାର ଗୋଷ୍ଠୀ କନ୍ଦଳ ଯୋଗୁଁ ଏହି ଜାତୀୟ ଦଳ ଓଡ଼ିଶାରେ ପଛରେ ପଡ଼ି ଯାଇଛି। ୨୦୦୦ ମସିହାରୁ ମୁଖ୍ୟ ବିରୋଧୀ ଦଳ ଆସନରେ ଥିବା କଂଗ୍ରେସ ଏବେ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ମୁଖ୍ୟ ବିରୋଧୀ ଦଳ ସ୍ଥାନ ଏବେ ବିଜେପି ଅକ୍ତିଆର କରିଛି। ଏହି କନ୍ଦଳ ପାଇଁ ୨୦୧୭ ପଞ୍ଚାୟତ ନିର୍ବାଚନ ସହିତ ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ ପୁଣି କଂଗ୍ରେସେ ବିବାଦ ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ଯଦି ଦଳରେ ଆପୋଷ ବୁଝାମଣା ନ ହୁଏ ତାହାଲେ କଂଗ୍ରେସକୁ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

Comment