ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରିନର ଏକ ଶ୍ରମିକ ଶିବିରରେ ଆତ୍ମହତ୍ୟା କରିଥିବା ଓଡ଼ିଆ ଯୁବକ ଜିତୁ ସ୍ଵାଇଁଙ୍କ ମୃତଦେହ ଓଡ଼ିଶା ଆସୁଛି। ଅଗଷ୍ଟ ୨୬, ଗୁରୁବାର ଦିନ ଏହା ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ।

ଗତ ୧୬ରେ ବାହାରିନର ସଲ୍‌ମାବାଦସ୍ଥିତ ଏକ ଶ୍ରମିକ ଶିବିରରେ ପଙ୍ଖାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ ଜିତୁ।

ଗଞ୍ଜାମ ଜିଲ୍ଲା କନ୍ଦିଗାଁର ଯୁବକ ଜିତୁ ସ୍ଵାଇଁ ରୋଜଗାର ପାଇଁ ବାହାରିନ ଚାଲିଆସିଥିଲେ। ବାହାରିନର ସାମ୍‌ସ ଅଲମନାସ୍ଥିତ ବ୍ଲାକସ୍ମିଥ୍ କମ୍ପାନିରେ ଜିତୁ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଆର୍ଥିକ ଅବସ୍ଥା ଭଲ ରହୁନଥିବାରୁ ଗତ କିଛିଦିନ ହେଲା ସେ ମାନସିକ ଚାପରେ ରହୁଥିଲେ।ଜିତୁଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ କହିବା ଆନୁସାରେ ଗତ ୧୬ ତାରିଖରେ ଶିବିରରେ ରହୁଥିବା ଅନ୍ୟ ୫ ଜଣ ଶ୍ରମିକ କମ୍ପାନି ଚାଲିଆସିବା ପରେ ଜିତୁ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ।

ଜିତୁଙ୍କ ଆତ୍ମହତ୍ୟା ବିଷୟରେ ଜାଣିବା ପରେ ତାଙ୍କ ସମ୍ପର୍କୀୟମାନେ ବାହାରିନରେ ଅବସ୍ଥାପିତ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଡକ୍ଟର ପ୍ରହରାଜ ଜିତୁଙ୍କ ମରଶରୀରକୁ ବ୍ୟବଚ୍ଛେଦ କରାଇ ତାହାକୁ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ।ତେବେ ସବୁଠୁ ଦୁଃଖର କଥା ହେଲା ଜିତୁଙ୍କ ମୃତ୍ୟୁର କିଛିଦିନ ତଳେ ବାହାରିନରେ ଆଉଜଣେ ଓଡ଼ିଆଙ୍କର କୋମା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବାହାରିନ ଓଡ଼ିଆ ସମାଜର ସାହାଯ୍ୟରେ ତାଙ୍କ ମରଶରୀରକୁ ଓଡ଼ିଶା ପଠାଯାଇଥିଲା। ହେଲେ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଥିବା ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି।

Comment