ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ଭିତରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅଧିବେଶନ ସହ ଯୋଡ଼ି ହୋଇ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ବିରୋଧୀ ଦଳର ନେତାମାନେ ସମର୍ଥନ କରିଥିଲେ। ଏଥିସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସର ଅତିଥି ଭବନରୁ ଅଧିବେଶନ ସହ ଯୋଡ଼ି ହୋଇଥିଲେ।

ସେହିପରି ଅନ୍ୟମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇପାରିବେ ବୋଲି ଗୃହରେ ସୂଚନା ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସେପଟେ ଅଧିବେଶନ ଆରମ୍ଭରୁ ରାଜ୍ୟର ମରୁଡ଼ି ସ୍ଥିତିକୁ ନେଇ ମୁହଁ ଖୋଲିଥିଲା କଂଗ୍ରେସ। ଏଥିସହ ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ନେତାମାନେ ନାରାବାଜି ଦେଇଥିଲେ। ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ନେତାମାନଙ୍କ ପକ୍ଷରୁ ଦାବି ମଧ୍ୟ କରାଯାଇଥିଲା। ଏହାପରେ ଗୃହକୁ ମଧ୍ୟାହ୍ନ ୧୨.୩୪ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ପରବର୍ତ୍ତୀ ସମୟରେ ପୁଣିଥରେ ଅଧିବେଶନ ଆରମ୍ଭ ହୋଇଥିଲା। ରାଜ୍ୟରେ ମରୁଡ଼ି ସ୍ଥିତି ନେଇ କଂଗ୍ରେସ ପକ୍ଷରୁ ଯେଉଁ ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

ସେ କହିଥିଲେ, “୨୦ ବର୍ଷ ମଧ୍ୟରେ ରାଜ୍ୟରେ ୮ ଥର ମରୁଡ଼ି ହୋଇଛି। ଅଗଷ୍ଟ ୨୮ ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି। କମ ବର୍ଷା ଯୋଗୁଁ ୧୪ ଜିଲ୍ଲାର ୪୭ଟି ବ୍ଲକରେ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି। ତେଣୁ ଯେଉଁ ସ୍ଥାନମାନଙ୍କରେ ନିଅଣ୍ଟିଆ ବର୍ଷା ହୋଇଛି ସେହି ସ୍ଥାନଗୁଡ଼ିକୁ ପମ୍ପ ସେଟ୍ ଯୋଗାଇ ଦିଆଯିବ। ଏଥିସହ ଉଠାଜଳସେଚନ ଏବଂ କେନାଲ ପାଣି ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯିବ। ଏହାର ତଦାରଖ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ବୁଧବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହା ସେପ୍ଟେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଛି।

Comment