ଅଭିପ୍‌ସା ବରାଳ

ଟୋକିଓ ଅଲିମ୍ପିକ୍ସର ଦ୍ଵିତୀୟ ଦିନରେ ଭାରତକୁ ପ୍ରଥମ ରୌପ୍ୟ ପଦକ ଉପହାର ଦେଇଥିଲେ ମଣିପୁରର ମଣି ସାଇଖୋମ ମୀରାବାଇ ଚାନୁ। ଯେଉଁ ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଟେକ ରଖିଛନ୍ତି, ଦିନେ ସେହି ଖେଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ମୀରାବାଇ।

ମଣିପୁରର ମଣି ମୀରାବାଇ ଚାନୁ। ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇ ଭାରତକୁ ଦେଇଛନ୍ତି ରୌପ୍ୟ ଉପହାର। ଏବେ ଏହି ମଣିପୁରର ଝିଅ ସମଗ୍ର ଦେଶରେ ‘ସିଲଭର୍ ଗାର୍ଲ’ ନାମରେ ବେଶ୍ ପରିଚିତ। ରୌପ୍ୟ ପଦକ ପାଇବାପରେ ସୋସିଆଲ ମିଡିଆରେ ଏହି ନାଁଟି ଟ୍ରେଣ୍ଡ କରିଥିଲା।

ଯେଉଁ ଖେଳ ପାଇଁ ଆଜି ଟୋକିଓରେ ଭାରତର ଟେକ ରଖିଛନ୍ତି, ଦିନେ ସେହି ଖେଳକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ମଣିପୁରର ଗେହ୍ଲା ଝିଅ ସାଇଖୋମ ମୀରାବାଇ ଚାନୁ। ସେ ଜାଣିନଥିଲେ ତାଙ୍କର ସେହି ନିଷ୍ପତ୍ତି ତାଙ୍କୁ ପର ମୁହୂର୍ତ୍ତରେ ଏତେ ଶକ୍ତିଶାଳୀ କରିଦେବ। ହାରିଯାଇ ଖେଳ ଛାଡ଼ିଦେବା ନିଷ୍ପତ୍ତି ନେଇଥିଲେ ସତ, କିନ୍ତୁ ଖେଳ ପ୍ରତି ଥିବା ଆଗ୍ରହ ତାଙ୍କୁ ଖେଳଠାରୁ ଦୂରକୁ ରଖି ପାରିନଥିଲା।ପରବର୍ତ୍ତୀ ସମୟରେ ସେ ନିଶ୍ଚିତ ପଦକ ହାସଲ କରି ଦେଶକୁ ଗର୍ବିତ କରାଇବେ ବୋଲି ନିଜେ ନିଜକୁ ପ୍ରତିଶ୍ରୁତି ଦେଇଥିଲେ ମୀରାବାଇ। ସେଥିପାଇଁ ତାଙ୍କୁ ବହୁତ୍ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଛି, ଆଉ ତାଙ୍କର ଏହି ପରିଶ୍ରମ ପଛରେ ତାଙ୍କ ମା’ଙ୍କ ଅବଦାନ ଅତୁଳନୀୟ।

ପଦକ ପାଇଁ ମୀରାବାଇ ପରିବାରଠାରୁ ନିଜକୁ ଦୂରେଇ ଦେଇଥିଲେ। ଏମିତି କି ନିଜ ଭଉଣୀଙ୍କର ବିବାହ ଉତ୍ସବରେ ମଧ୍ୟ ସାମିଲ ହୋଇନଥିଲେ। ଫୋନ୍, ସୋସିଆଲ ମିଡିଆଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ ଏବେ ସେହି ଝିଅ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଛନ୍ତି। ଅଗଷ୍ଟ ୧୨ରେ ପାରମ୍ପରିକ ପୋଷାକରେ ନିଜର ଏକ ଫଟୋ ଟୁଇଟର ଆକାଉଣ୍ଟରେ ସେୟାର କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ମଣିପୁରର ମଣି ମୀରାବାଇ ଚାନୁ।

୧୨ବର୍ଷ ବୟସରୁ ଜଣାପଡ଼ିଥିଲା ମୀରାବାଇଙ୍କ ଲୁକ୍କାୟିତ ପ୍ରତିଭା

ମଣିପୁରର ଇମ୍ଫାଲଠାରୁ ୩୦ କିଲୋମିଟର ଦୂରରେ ଥିବା ନଙ୍ଗପକ କାକଚିଙ୍ଗ ଗାଁରେ ୧୯୯୪ ମସିହା ଅଗଷ୍ଟ ୮ତାରିଖରେ ଜନ୍ମ ହୋଇଥିଲେ ମୀରାବାଇ ଚାନୁ। କଥାରେ ଅଛି, ତୁଳସୀ ଦୁଇ ପତ୍ରରୁ ବାସେ। ସେହିପରି ମୀରାବାଇଙ୍କ ପ୍ରତିଭା ତାଙ୍କ ପରିବାର ଲୋକ ପିଲା ବେଳୁ ଜାଣି ପାରିଥିଲେ।ଝିଅଟିଏ ହୋଇ ମଧ୍ୟ ୧୨ ବର୍ଷ ବୟସରେ ଅଧିକ ଓଜନର କାଠ ଉଠାଇ ଘରକୁ ଆଣୁଥିଲେ। ଯାହାକି ତାଙ୍କ ବଡ଼ ଭାଇଙ୍କ ପକ୍ଷେ ସମ୍ଭବ ହେଉନଥିଲା।

ସାଧାରଣତଃ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଶାରିରୀକ କ୍ଷମତା କମ୍ ରହିଥାଏ। କିନ୍ତୁ ମୀରାବାଇ ଛୁଆଟିବେଳୁ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି। ମୀରାବାଇଙ୍କ ଏଭଳି ପ୍ରତିଭା ଦେଖି ଘର ଲୋକ ନିଶ୍ଚିତ ଥିଲେ କି ସେ ବଡ଼ ହେଲେ ଓ୍ଵେଟଲିଫ୍ଟର ହେବେ। କିନ୍ତୁ ମୀରାବାଇଙ୍କ ରୁଚି ଥିଲା ଆଉ କିଛି।

କ୍ରିକେଟ ପ୍ରତି ରୁଚି ରଖିଥିଲେ ମୀରାବାଇ

ପିଲାବେଳୁ କ୍ରିକେଟ ପ୍ରତି ରୁଚି ରଖିଥିଲେ ମୀରାବାଇ ଚାନୁ। ଥରେ ସେ କ୍ରିକେଟ ଖେଳିବାକୁ ଯିବା ସମୟରେ ତାଙ୍କ ନଜର ସେ ସମୟର ଜଣେ ଓ୍ଵେଟଲିପ୍ଟରଙ୍କ ଉପରେ ପଡ଼ିଥିଲା। ସେହି ମୁହୂର୍ତ୍ତରୁ ସେ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ଓ୍ଵେଟଲିପ୍ଟର ହେବା ପାଇଁ ଇଚ୍ଛାପ୍ରକାଶ କଲେ। ସେଥିପାଇଁ ସେ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଲେ। ସେବେଠାରୁ ସେ ଅନ୍ୟ କୌଣସି ଦିଗରେ ମନ ନ ବଳାଇ ଓ୍ଵେଟଲିପ୍ଟିଙ୍ଗରେ ନିଜର କ୍ୟାରିୟର କରିଛନ୍ତି।

ରିଓ ଅଲିମ୍ପିକ୍ସରେ ହାରିବା ପରେ ଖେଳ ଛାଡ଼ିବାର ନିଷ୍ପତ୍ତି

ଖେଳରେ ହାର୍ ଜିତ୍ ରହିଥାଏ। ପ୍ରତିଯୋଗିତାରେ ଜଣେ ହାରିଥାଏ ତ’ ପ୍ରତିପକ୍ଷ ଜିତିଥାଏ। ଦିନେ ଏହି ହାର୍ ମୀରବାଇଙ୍କୁ ଦ୍ଵନ୍ଦ୍ଵରେ ପକାଇଥିଲା। ୨୦୧୬ରେ ହୋଇଥିବା ରିଓ ଅଲିମ୍ପିକ୍ସରେ ପରାଜୟ ସ୍ଵୀକାର କରିବା ପରେ ସେ ଖେଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିଜ ମା’ଙ୍କୁ ଫୋନ କରି ବହୁତ କାନ୍ଦିଥିଲେ ଏବଂ ଆଉ ଆଗକୁ ଖେଳିବେ ନାହିଁ ବୋଲି କହିଥିଲେ।

ସେହି ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ତାଙ୍କୁ ମନସ୍ତତ୍ତ୍ଵ ବିଜ୍ଞାନୀଙ୍କ ପରାମର୍ଶ ନେବାକୁ ମଧ୍ୟ ପଡ଼ିଥିଲା। ସେ ପୂରା ଭାଙ୍ଗି ଯାଇଥିଲେ। ଏଭଳି ଖରାପ ସମୟରେ ମୀରାବାଇଙ୍କୁ ସାହସ ଦେଇଥିଲେ ତାଙ୍କ ମା’। ପୁଣିଥରେ ତାଙ୍କୁ ଖେଳିବାକୁ ଉତ୍ସାହିତ କରିଥିଲେ। ଯାହାଫଳରେ ସେ ଆଜି ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିପାରିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ଉପହାର

ଟୋକିଓ ଅଲିମ୍ପିକ୍ସର ଦ୍ଵିତୀୟ ଦିନରେ ଚମତ୍କାର ପ୍ରଦର୍ଶନ କରି ଦେଶକୁ ରୌପ୍ୟ ପଦକ ଉପହାର ଦେଇଥିଲେ ମଣିପୁର ଝିଅ ମୀରାବାଇ ଚାନୁ। ୪୯କେଜି ବର୍ଗରେ ଚାନୁଙ୍କୁ ରୌପ୍ୟ ପଦକ ମିଳିଥିଲା। ଟୋକିଓରେ ଭାରତର ଟେକ ରଖିଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

ଖାଲି ସେତିକି ନୁହେଁ, ମୀରାବାଇଙ୍କୁ ପିଜା ଖାଇବାକୁ ଭଲ ଲାଗିଥାଏ ବୋଲି ଡୋମିନସ୍ ତରଫରୁ ତାଙ୍କୁ ପିଜା ଫ୍ରିରେ ଦିଆଯିବ ବୋଲି ଘୋଷଣା କରାଯାଇଛି।

ଟୋକିଓରୁ ଫେରିବାପରେ ଭବ୍ୟ ସମ୍ବର୍ଦ୍ଧନା

ମେଡାଲ ଜିତି ଟୋକିଓରୁ ସ୍ୱଦେଶକୁ ଫେରିବା ପରେ ସୁନା ଝିଅ ମୀରାବାଇ ଚାନୁଙ୍କୁ ନୂଆଦିଲ୍ଲୀ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂରା ବିମାନ ବନ୍ଦର ଭାରତ ମାତା କି ଜୟ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା। ସମସ୍ତେ ଏକା ସହ କରତାଳି ଓ ଫୁଲମାଳ ପିନ୍ଧାକୁ ତାଙ୍କୁ ସ୍ଵାଗତ କରିଥିଲେ।

ଏଥିସହ କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ଓ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କର ସଫଳତା ପାଇଁ ମନ୍ତ୍ରାଳୟ ପକ୍ଷରୁ ୨କୋଟି ଟଙ୍କା ପୁରସ୍କାର ମଧ୍ୟ ଦିଆଯାଇଛି।ମୀରାବାଇ ୧୫୦ ଟ୍ରକ ଡ୍ରାଇଭରଙ୍କୁ ଦେଲେ ଉପହାର

ସିଲଭର ଗାର୍ଲ ୧୫୦ ଜଣ ଟ୍ରକ ଡ୍ରାଇଭର, ହେଲପରଙ୍କୁ ଉପହାର ଦେଇଥିଲେ। କାରଣ ମୀରାବାଇଙ୍କ କଠିନ ସମୟରେ ଏହିମାନେ ହିଁ ତାଙ୍କ ସାଥ୍ ଦେଇଥିଲେ।

ପିଲାବେଳେ ଖେଳ ଅଭ୍ୟାସ କରିବା ପାଇଁ ମୀରାବାଇ ନିଜ ଘରଠାରୁ ପ୍ରାୟ ୨୩ କିଲୋମିଟର ଦୂରକୁ ଯାଉଥିଲେ। ସେହି ସମୟରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେଟା ସ୍ଵଚ୍ଛଳ ନଥିଲା। ଯାତାୟତ ପାଇଁ ତାଙ୍କ ପାଖରେ ସାଇକେଲ ଖଣ୍ଡେ ବି ନଥିଲା। ତେଣୁ ସେ ଟ୍ରକ ଡ୍ରାଇଭରଙ୍କ ସହାୟତାରେ ଏକାଡେମୀରେ ଯାଇ ପହଞ୍ଚୁଥିଲେ।ମେଡାଲ ପାଇବା ପରେ ବର୍ଷ ବର୍ଷ ଧରି ଏକାଡେମୀରେ ପହଞ୍ଚିବାରେ ସାହାଯ୍ୟ କରୁଥିବା ସେହି ଡ୍ରାଇଭରମାନଙ୍କୁ ଘରକୁ ଡାକି ସମ୍ମାନୀତ କରିଛନ୍ତି ଏହି ଆଥଲେଟ୍। ଏଥିସହ ସେମାନଙ୍କୁ ସାର୍ଟ, ମଣିପୁରୀ ଉତ୍ତରୀୟ ଇତ୍ୟାଦି ଉପହାର ମଧ୍ୟ ଦେଇଛନ୍ତି।

ଏହି ଅବସରରେ ମୀରାବାଇ ଭାବବିହ୍ଵଳ ହୋଇ କହିଥିଲେ, ଯଦି ଏହି ଟ୍ରକ ଡ୍ରାଇଭରମାନେ ମତେ ଏକାଡେମୀରେ ପହଞ୍ଚାଇବାରେ ସାହାଯ୍ୟ କରିନଥାନ୍ତେ, ତେବେ ମୁଁ ମୋ ସ୍ଵପ୍ନ କେବେ ପୂରା କରିପାରିନଥାନ୍ତି।

ମୀରାବାଇ ପାଇଥିବା ସମ୍ମାନ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମୀରାବାଇଙ୍କ ସଫଳତା ପାଇଁ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୦୧୮ରେ ମଧ୍ୟ ମୀରାବାଇଙ୍କୁ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର ଦିଆଯାଇଥିଲା।

ମୀରାବାଇ ତାଙ୍କ କ୍ୟାରିୟର ଭିତରେ ଏକାଧିକ ପଦକ ଭାରତକୁ ଉପହାର ଦେଇସାରିଛନ୍ତି। ପୁଣିଥରେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗର୍ବିତ କରିଛନ୍ତି।

Comment