ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ଜନିତ ବର୍ଷା କାରଣରୁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି। ତେଣୁ ସମ୍ଭାବ୍ୟ ବନ୍ୟା ମୁକାବିଲା କରିବା ପାଇଁ ୪ଟି ଏନଡିଆରଏଫ ଟିମ୍ କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଭଦ୍ରକ ଅଞ୍ଚଳରେ ନିୟୋଜିତ କରାଯାଇଛି। ସେପଟେ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୨୪ ଗେଟ୍ ଖୋଲାଯାଇଛି। ଦରକାର ପଡ଼ିଲେ ଆଉ ୪ଟି ଖୋଲାଯାଇପାରେ ବୋଲି ସୂଚନା ରହିଛି।

ତଥ୍ୟ ଅନୁସାରେ ଗୁରୁବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ୍‌ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏତେ ପରିମାଣରେ ଜଳ ନିଷ୍କାସନ ହେବା ଦ୍ଵାରା ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ମହାନଦୀ ସମେତ ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ମୁଣ୍ଡଳି ଓ ନରାଜରେ ଜଳସ୍ତର, ଜଳ ନିଷ୍କାସନ ନେଇ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସକାଳ ୬ଟା ସୁଦ୍ଧା ମୁଣ୍ଡଳିଠାରେ ୫ ଲକ୍ଷ ୯୬ହଜାର ୯୫୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ମୁଣ୍ଡଳିଠାରେ ବିପଦ ସଙ୍କେତ ୯୭.୨୫ ଫୁଟ ଥିବାବେଳେ ଜଳସ୍ତର ୮୮.୯୦ ଫୁଟ ରହିଛି। ସେହିପରି ସକାଳ ୬ଟା ସୁଦ୍ଧା ନରାଜଠାରେ ୨ଲକ୍ଷ ୯୫ ହଜାର ୬୭୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ଜଳସ୍ତର ୨୫.୫୦ ମିଟର ରହିଛି।

Comment