ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଂପ୍ରସାରିତ ହେଲା ଉତ୍କଳ ଆଲୁମିନା କାରଖାନା
  • ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଆମ ଅର୍ଥନୀତି ଟ୍ରାକକୁ ଫେରୁଛି – ମୁଖ୍ୟମନ୍ତ୍ରୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଦୋରାଗୁଡ଼ାଠାରେ ଥିବା ଉତ୍କଳ ଆଲୁମିନା କାରଖାନାର ସଂପ୍ରସାରଣ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଏହି ସଂପ୍ରସାରଣ କାର୍ଯ୍ୟକ୍ରମର ଉଦଘାଟନ କରିଥିଲୋ। ଫଳରେ ଏହାର କ୍ଷମତା ବାର୍ଷିକ ୧.୫ ନିୟୁତ ମେଟ୍ରିକ ଟନ୍‌ରୁ ୨ ନିୟୁତ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛିା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,‘‘କରୋନା ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାର ଅର୍ଥନୀତି ସୁଧୁରିବା ସହିତ ଟ୍ରାକକୁ ଫେରୁଛିା କରୋନା ସତ୍ତ୍ୱେ ନିବେଶକମାନେ ଓଡ଼ିଶାରେ ସେମାନଙ୍କ ପ୍ରକଳ୍ପର ସଂପ୍ରସାରଣ କରୁଛନ୍ତିା ମହାମାରୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଆସିଛି। ଏହାସହିତ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ରାଜ୍ୟର ଜିଏସ୍‌ଟି ୫୪ ପ୍ରତିଶତ ବୃଦ୍ଧି ପାଇଛି।’’

ସେ ଆହୁରି ମଧ୍ୟ କହିଥିଲେ,‘‘ ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏକ ବଡ଼ ଭୂମିକା ଗ୍ରହଣ କରିଛି। ରାଜ୍ୟରେ ମେଟାଲ୍, ମାଇନିଂ, ସିମେଣ୍ଟ, ଆର୍ଥିକ ସେବା ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସଂପ୍ରସାରଣ ଓଡ଼ିଶାର ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ।’’

ବିଗତ ବର୍ଷ ଗୁଡ଼ିକରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛି। ରାଜ୍ୟରେ ବିର୍ଲା ଗ୍ରୁପର ୮ଟି ବ୍ୟବସାୟର ବ୍ୟାପକ ଉପସ୍ଥିତି ରହିଛି। ଆଗାମୀ ଦିନରେ କମ୍ପାନି ଏହାକୁ ଆହୁରି ବ୍ୟାପକ କରିବ ବୋଲି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ କହିଥିଲେ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ ମଙ୍ଗଳମ୍‌ ବିର୍ଲା। ସେହିପରି ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡ଼ିଶା ସରକାରଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।

ଉତ୍କଳ ଆଲୁମିନାର ସଂପ୍ରସାରଣ ଓ ହିଣ୍ଡାଲକୋର ଆନୁସଙ୍ଗିକ ଦକ୍ଷତା ବୃଦ୍ଧି ଓଡ଼ିଶା ପାଇଁ ନୂଆ ମାଇଲଖୁଣ୍ଟ ହେବା ଏହା ସବୁଠୁ ବଡ଼ ଓ ଆଧୁନିକ ଉତ୍ପାଦନ କାରଖାନାର କେନ୍ଦ୍ରସ୍ଥଳ ପାଲଟିବ ବୋଲି କହିଥିଲେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‌  ଲିମିଟେଡ୍‌ର ଅଧ୍ୟକ୍ଷ ସତୀଶ ପାଇ।

୧୯୯୩ରେ ୮ ହଜାର ୬୦୦ କୋଟି ବ୍ୟୟରେ ୧.୫ ନିୟୁତ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନା ପ୍ରକଳ୍ପ ଦୋରାଗୁଡ଼ାରେ ସ୍ଥାପନ କରାଯାଇଥିଲା। ଏବେ ଆଉ ୧୫୦୦ କୋଟି ଟଙ୍କା ନିବେଶ କରି ଏହାର କ୍ଷମତାକୁ ୨ ନିୟୁତ ମେଟ୍ରିକ୍‌ ଟନ୍‌କୁ ସମ୍ପ୍ରସାରିତ କରାଯାଇଛି। ଫଳରେ ଉତ୍କଳ ଆଲୁମିନା ଦେଶର ଦ୍ୱିତୀୟ ବୃହତ୍ତମ ଆଲୁମିନା ଉତ୍ପାଦନକାରୀ କମ୍ପାନି ପାଲଟିଛିା ଏହାଦ୍ୱାରା ୫୦୦ରୁ  ଅଧିକ ବ୍ୟକ୍ତି ନିଯୁକ୍ତି ପାଇପାରିବେ।

ଉଦଘାଟନ କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ୍‌-ଟି ସଚିବ ଭି କେ ପାଣ୍ଡିୟାନ, ଉନ୍ନୟନ କମିସନର ପି କେ ଜେନା, ହିଣ୍ଡାଲକୋ କମ୍ପାନି ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ, ଶିଳ୍ପ ସଚିବ ହେମନ୍ତ ଶର୍ମା ରାଜ୍ୟସଭା ସାଂସଦ ଏନ୍‌ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ପ୍ରମୁଖ ଉପସ୍ଥିତ ଥିଲୋ।

Comment