ଗୀତା ଦାସ

କୋଭିଡ କାଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ପିଲା। ତେଣୁ କୋଭିଡ ପରବର୍ତ୍ତୀ ସମୟରେ ପିଲାଙ୍କ ସମସ୍ୟା ବୁଝି ତାକୁ କିଭଳି ଦୂର କରାଯାଇ ପାରିବ, ସେନେଇ ପରାମର୍ଶ ଦେଇଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଗୀତା ଦାସ।

ବଡ଼ମାନେ ଯେମିତି ମନରେ ରୋଗର ଭୟ ଓ ତାହାର ବ୍ୟାପକତା ଯୋଗୁଁ ବିଭିନ୍ନ କ୍ଷତିର ଆଶଙ୍କାରେ ଚିନ୍ତିତ ଓ ବିବ୍ରତ ହେଉଛନ୍ତି, ଠିକ୍ ସେହିପରି ପିଲାମାନେ ମଧ୍ୟ ରୋଗର ଭୟାବହ ପରିଣାମର ଖବର ସବୁବେଳେ ଶୁଣି ଦୁଃଶ୍ଚିନ୍ତାଗ୍ରସ୍ତ ହେଉଛନ୍ତି। ଅନେକେ ନିଜର ଅନିଶ୍ଚୟ ଭବିଷ୍ୟତ ଭାବି ରାତିରେ ଶୋଇ ପାରିନଥାନ୍ତି। କ’ଣ କରିବେ ଭାବିପାରୁନାହାନ୍ତି। ସାଧାରଣ ଜୀବନ ବିତାଇବାରେ ବିଭିନ୍ନ ବାଧା ଯୋଗୁଁ ରାଗୁଛନ୍ତି, ଅମାନିଆ ହେଉଛନ୍ତି ଓ ମନମାରି ରହୁଛନ୍ତି।

ପାଠରେ ପଛେଇ ଗଲାରୁ ମନରେ ଆତଙ୍କ ବଢ଼ୁଛି। ତେଣୁ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କାଉନସେଲରମାନେ କିଏ କେଉଁ ଭାବରେ ପିଲାକୁ ସାହାଯ୍ୟ କରି ତାଙ୍କ ମନରେ ଆଶା ଭରସା ବଢ଼ାଇପାରିବେ ଓ ସେମାନଙ୍କୁ ଭୟ ଓ ଦୁଶ୍ଚିନ୍ତାରୁ ରକ୍ଷା କରିବେ ସେ ବିଷୟ ଆଲୋଚନା କରି ସ୍ଥିର କଲେ ପିଲାଙ୍କର ଉପକାର ହେବ। ଆଲୋଚନା କରିବା ଦରକାର କାହିଁକି ନା ସବୁ ଅବସ୍ଥା ସମାନ ନୁହେଁ। ତେଣୁ କେଉଁ ଅବସ୍ଥାରେ କ’ଣ କରିବା ସମ୍ଭବ। ସେ ବିଷୟ ଭାବି କାମ କରିବାକୁ ପଡ଼େ। ସବୁ ପିଲାଙ୍କର ସମସ୍ୟା ମଧ୍ୟ ସମାନ ନୁହେଁ। କାହାର କମ୍ ଓ କାହାର ବେଶୀ ସମସ୍ୟା। ଘରେ ବଡ଼ମାନେ କ’ଣ କରିପାରିବେ?ସାନ ପିଲା ନିଜ ମନକଥା ସହଜରେ ସମସ୍ତଙ୍କୁ କୁହେ। କାରଣ ସେତେବେଳେ ପିଲାର ଉଚିତ୍-ଅନୁଚିତ ଜ୍ଞାନ ହୋଇନଥାଏ। ଯାହା ଅନୁଭବ କରେ, ଭାବେ ତାହା କହିଦିଏ। ବଡ଼ ହୋଇ ସେ ବୁଝିପାରେ କ’ଣ କହିଲେ ଅନ୍ୟମାନେ ଖରାପ ଭାବିବେ। ତେଣୁ ସେ ମନକଥା ଯାହାକୁ ବିଶ୍ୱାସ କରେ କେବଳ ତାହାକୁ କୁହେ। ମୁଁ ଯାହା କହୁଛି ତୁ କାହାକୁ କହିବୁ ନାହିଁ କହିକରି ସେ କଥା ଆରମ୍ଭ କରେ। ଯିଏ ତା’ର କଥା ଓ କାମକୁ ପସନ୍ଦ କରିବ ନାହିଁ ବୋଲି ଭାବିବ ସେ ତା’ଠାରୁ କଥା ଲୁଚେଇବ। ଏଥିପାଇଁ କାହିଁକି ସେ ଅନ୍ୟମାନଙ୍କୁ ନିଜ ମନକଥା କହିବ ଓ ସେମାନେ ତାକୁ ଡରୁଆ, ଛେରୁଆ କହି ହସିବେ, ଚିଡେଇବେ କି ବଡ଼ମାନେ କହିବେ ଏଗୁଡ଼ାକ ମିଛ ଡର, କିଏ ତୋ ମୁଣ୍ଡରେ ଏସବୁ ପୂରେଇଛି?

ଏଥିଯୋଗୁଁ ପିଲା ଯାହା କହୁଛି ମନ ଦେଇ ଶୁଣିବା କଥା ଓ ତାକୁ ପଚାରି ବୁଝିବା କଥା। କ’ଣ କଲେ ତା ମନ ଥୟ ହେବ, ଭୟ ଓ ଚିନ୍ତା ଦକ କମିବ। ନିଜର ମନକଥା କହିବାକୁ ଆମକୁ ମଧ୍ୟ ସଙ୍କୋଚ ଲାଗେ। କାରଣ ‘ଯିଏ ଶୁଣିବ ସେ କ’ଣ ଭାବିବ’  ଏଇ ଚିନ୍ତା ପ୍ରଥମେ ମନକୁ ଆସେ। ଲଜ୍ଜା ଓ ସଙ୍କୋଚ ଭାଙ୍ଗିବାର ଗୋଟାଏ ଉପାୟ ହେଲା ସହାନୁଭୂତି ଦେଖାଇବା ଯିଏ କହୁଛି ତା’ କଥାକୁ ଗୁରୁତ୍ୱ ଦେବା। ଅଥଚ ଆମେ ସାଧାରଣତଃ ଅଯଥା ଉପଦେଶ ଓ ବୃଥା ଆଶ୍ୱାସନା ଦେଇ ଯିଏ କହୁଛି ତା’ର କଥାକୁ ଗୁରୁତ୍ୱ ଦେଉନା।

ଘରଲୋକଙ୍କର ପ୍ରଥମ କାମ ହେଲା ପିଲାଙ୍କ ସାଙ୍ଗରେ ସମୟ କାଢ଼ି କଥାବାର୍ତ୍ତା କରି ନିଜ ନିଜ ଭିତରେ ଥିବା ସମ୍ପର୍କକୁ ସହଜ ଓ ସରଳ କରିବା। ଯେମିତି ପିଲା ନିଜ ସୁବିଧା ଅସୁବିଧା ସବୁ ସାହସ କରି ନିର୍ଭୟରେ ବାପା, ମାଆ, ଭାଇ, ଭଉଣୀଙ୍କ ଆଗରେ କହିବ। ପିଲାର ଯାହା ଯାହା ସମସ୍ୟା ସେ ସବୁର ମନକୁ ପାଇଲା ପରି ସମାଧାନ କରିବା ସହଜ ନୁହେଁ। ତେଣୁ ଯଥାସାଧ୍ୟ ସମାଧାନ କରିପାରିଲେ ସମସ୍ତଙ୍କ ପାଇଁ ଭଲ ହେବ।ଦ୍ୱିତୀୟ କଥା ହେଲା – ପିଲାର ଦୋଷ ଯୋଗୁଁ ଯଦି ପାଠରେ ପଛେଇ ଯାଇଛି, ସେ ବିଷୟ ଆଲୋଚନା ନ କରି କ’ଣ କଲେ ସେ ବର୍ତ୍ତମାନ ଅନ୍ୟମାନଙ୍କ ସହିତ ସମାନ ହେବ ସେ ବିଷୟ ସ୍ଥିର କରିବା କଥା। ତା’ର ମନର ଭାର କମେଇବା ଲାଗି କାଉନସେଲିଂ ଦରକାର ସେ ବ୍ୟବସ୍ଥା କରିବେ। ଯଦି ଅଧିକାଂଶ ଟ୍ୟୁସନ ଦରକାର ହୁଏ ସେ ବ୍ୟବସ୍ଥା କରିବେ। ଘରର ଯେ କୌଣସି ଲୋକ ଏଭଳି ସାହାଯ୍ୟ କରିପାରିବେ। ଅଭାବ ଥିବା ପରିବାରର ପିଲାର ଉପକାର ହେବ।

ତୃତୀୟ କଥା ହେଲା ମୌଖିକ ଉପଦେଶଠାରୁ ପିଲାକୁ ପାଖରେ ବସାଇ ଆଦର କଲେ, ସ୍ନେହ ସ୍ୱରରେ କଥାବାର୍ତ୍ତା କଲେ- ପିଠି ମୁଣ୍ଡ ଆଉଁଷିଦେଲେ ପିଲାର ମନ ହାଲୁକା ହୁଏ। ସେ ଜାଣେ ଅସୁବିଧା ବେଳେ ତା’ ପାଖରେ ଏମାନେ ତାକୁ ଘଣ୍ଟ ଘୋଡ଼େଇ ନିରାପଦରେ ରଖିବେ। ପିଲାଙ୍କର ସ୍ନେହ ସ୍ପର୍ଶଟା ବହୁତ ଦରକାର। ଅଥଚ ପିଲା ବଡ଼ ହେଲେ କେହି ତା’ ପାଖରେ ଶୋଇ ଖୁସିଗପ କରନ୍ତି ନାହିଁ। କି ଦେହରେ ଲାଖି ବସନ୍ତି ନାହିଁ। ବରଂ କହନ୍ତି ‘ବଡ଼ ହେଲୁଣି ଏବେ ବି କୋଳପଶା ହେଉଛୁ!’

ସବୁ ଶିକ୍ଷକ ମଧ୍ୟ ସମାନ ନୁହନ୍ତି, କିଏ କଡ଼ା ତ କିଏ ସ୍ନେହଶୀଳ। ମାତ୍ର ସ୍କୁଲ ପରିବେଶ ହେଲା ଶାସନର ପରିବେଶ। ତେଣୁ ପୂର୍ବେ ଗୁରୁକୂଳରେ ଯେଉଁ ଶାସନ ଓ ବାତ୍ସଲ୍ୟର ମିଶ୍ର ପରିବେଶ ଥିଲା, ବର୍ତ୍ତମାନ ସେ ମିଶ୍ରଣ ନାହିଁ। ବର୍ତ୍ତମାନ ଭାବିବା କଥା ଯେ ଶିକ୍ଷକର କାମ କ’ଣ କେବଳ ସିଲାବସ୍ ଅନୁସାରେ ପାଠ ପଢ଼େଇବା ଓ କଡ଼ା ଶାସନ କରିବା ନା ସେମାନଙ୍କୁ ସ୍ୱାଧୀନ ଭାବରେ ଚିନ୍ତା କରିବାକୁ ଶିଖେଇବା।

ମିଳିମିଶି କାମ କରିବା, ସମସ୍ୟାର ସମାଧାନ ବିଚାରବନ୍ତ ଭାବରେ କରିବା ଓ ସ୍ୱତଃ ପ୍ରବୃତ୍ତ ହେଇ ଅନ୍ୟକୁ ସାହାଯ୍ୟ କରିବା ପରି ଗୁଣ ସବୁ ଶିଖାଇବା? ବର୍ତ୍ତମାନର ଟେକ୍ନୋଲୋଜିକାଲ ଜାଗାରେ ଏଭଳି  ସଫ୍ଟ ସ୍କିଲ୍ ବା ମାନବିକ ଜୀବନର ବିଦ୍ୟା ନ ଜାଣିଥିଲେ କାମ ଜାଗାରେ ଚାକିରିରେ ଉନ୍ନତି ହେବ ନାହିଁ। ହ୍ୟୁମାନ୍ କ୍ୟାପିଟାଲ ବା ଜନ ସାମର୍ଥ୍ୟର ପୁଞ୍ଜି, ଟଙ୍କା ପଇସାର ପୁଞ୍ଜି ପରି ମୂଲ୍ୟବାନ।କୋଭିଡ ଚାଲିଥିଲା ବେଳେ ଯିଏ ସ୍କୁଲ କଲେଜରେ ପଢ଼ିବାକୁ ଆସୁଛନ୍ତି ସେମାନଙ୍କର ମନର ଖବର ରଖିବା, ସେମାନଙ୍କ ସ୍ନେହ ପରାୟଣ ହୋଇ ସାହାଯ୍ୟ କରିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରଧାନ କାମ। ଯଦି ଛାତ୍ର ଛାତ୍ରୀଙ୍କର ମାନସିକ ଅବସ୍ଥାର ଅବନତି ଲାଗି ରହିବ କେବଳ ପାଠ ପଢ଼ାରେ କ୍ଷତି ହେବ ନାହିଁ, ଡିପ୍ରେସନ ପରି ମାନସିକ ଅସୁସ୍ଥତା ବଢ଼ିବ ଓ ଆତ୍ମହତ୍ୟା ପରି ମାରାତ୍ମକ ଘଟଣା ଘଟିବାର ସମ୍ଭାବନା ବହୁତ ବଢ଼ିବ।

ଯେଉଁମାନେ ଅଭାବୀ ଘରର ପିଲା ସେମାନଙ୍କୁ ଅଧିକ କୋଚିଂ କ୍ଲାସରେ ପଢ଼ାଇବା ଉଚିତ ଓ ଦେଶର ସରକାର ସେଥିପାଇଁ ଅଧିକା ଅର୍ଥ ସାହାଯ୍ୟ କରିବେ। ନଚେତ୍ ବୁଦ୍ଧିମାନ ଓ ପ୍ରତିଭାବାନ ପିଲା ଅଭାବ ଯୋଗୁଁ ପଛରେ ରହିବେ ଓ ଦେଶ ସେମାନଙ୍କର ଅବଦାନରୁ ବଞ୍ଚିତ ହେବ, ଉପରକୁ ନ ଉଠି, ତଳକୁ ଖସିବ। ଯେଉଁମାନେ ସାଧାରଣ ସୁବିଧା-ସୁଯୋଗରୁ ବଞ୍ଚିତ ତାଙ୍କ ପ୍ରତି ବିଶେଷ ନଜର ଦେବା ଦରକାର।

ଅଧିକ ପଢ଼ନ୍ତୁ

କୋଭିଡର ପରବର୍ତ୍ତୀ ସ୍ଥିତି : ଛାତ୍ରଛାତ୍ରୀଙ୍କର ଟେନସନ୍ ଓ ମନର ଅବସ୍ଥା
କୋଭିଡର ପରବର୍ତ୍ତୀ ଅବସ୍ଥା : ଛାତ୍ରଛାତ୍ରୀଙ୍କ ମନରେ ଦମ୍ଭ ଆଣିବା ପାଇଁ ସ୍କୁଲ କାଉନସେଲର କ’ଣ କରିବେ?

(ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ। ଦୀର୍ଘଦିନରୁ ସେ କାନାଡ଼ାରେ ରହୁଛନ୍ତି। କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ଥିତି ଓ ଏହାର ମୁକାବିଲା ପାଇଁ ବାଟ ବତାଇ ‘ଓଡ଼ିଶାଲାଇଭ୍’ ପାଇଁ ସେ ନିୟମିତ ଲେଖି ଆସୁଛନ୍ତି। – ସମ୍ପାଦକ, ଓଡ଼ିଶାଲାଇଭ୍)

LEAVE A REPLY

Please enter your comment!
Please enter your name here