ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଛି। ଦୈନିକ ପଜିଟିଭ୍ ହାର କମିଥିଲେ ହେଁ ଏପର୍ଯ୍ୟନ୍ତ ରାଜ୍ୟବାସୀ ବିପଦ ମୁକ୍ତ ନୁହଁନ୍ତି। ତେଣୁ କରୋନା ଗାଇଡଲାଇନ ମାନିବାରେ ଅବହେଳା ନକରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, “କରୋନା ସଂକ୍ରମଣ ହାର କମିଛି। କିନ୍ତୁ କରୋନା ସମ୍ପୂର୍ଣ୍ଣ ରୂପେ ଯାଇନାହିଁ। ତେଣୁ ଆମ ସମସ୍ତଙ୍କୁ କଟକଣା ମାନି ଚଳିବାକୁ ହେବ। ନହେଲେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇବା ସହ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିବ।”

ସେ ଆଉ ମଧ୍ୟ କହିଛନ୍ତି, ” ଓନାମ୍ ପର୍ବ ପରେ କେରଳରେ ସଂକ୍ରମଣ ବଢ଼ି ଚାଲିଥିଲା। ତାହା ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ମହାରାଷ୍ଟ୍ରରେ ସ୍ଥିତି ଏବେ ଖରାପ ଦିଗକୁ ଗତି କରୁଛି। ପୂର୍ବରୁ ସେଠାରେ ସଂକ୍ରମଣ କମୁଥିବାବେଳେ ଏବେ ପୁଣିଥରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ତେଣୁ କେରଳ ଓ ମହାରାଷ୍ଟ୍ରର ପରିସ୍ଥିତିକୁ ଦେଖି ଆମେ ସତର୍କ ରହିବା ଦରକାର। କାରଣର କୌଣସି ସମୟରେ ସଂକ୍ରମଣ ବଢ଼ିପାରେ। ସେଥିପାଇଁ ନିର୍ଦ୍ଦିଷ୍ଟ ସମୟର ଆବଶ୍ୟକ ନାହିଁ।”

ସୂଚନା ଥାଉକି, ପୂର୍ବରୁ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତେଣୁ ସଂକ୍ରମଣ ରୋକିବାକୁ ହେଲେ ପୂର୍ବରୁ ସତର୍କ ରହିବାକୁ ପଡ଼ିବ। ସମସ୍ତଙ୍କୁ କରୋନା ଗାଇଡଲାଇନ ମାନି ଚଳିବାକୁ ପଡ଼ିବ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୭ ଜଣ ୧୮ ବଷର୍ରୁ କମ୍ ବୟସ୍କ ରହିଛନ୍ତି। ସର୍ବାଧିକ ୨୬୧ କରୋନା ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବି ହ୍ରାସ ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ୪ଜରଙ୍କ ଜୀବନ ନେଇଛି କରୋନା। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ୧୧୮କୁ ବୃଦ୍ଧି ପାଇଛି।

Comment