ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ହାର ଉପର ତଳ ହେଉଥିବାବେଳେ କୋଭିଡ ଜନିତ ମୃତ୍ୟୃକୁ ନେଇ ଚିନ୍ତା ବିଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୭୫୪କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାର ୪ ଜଣ ପ୍ରାଣ ହରାଇଛନ୍ତି। କଟକ ଜିଲ୍ଲାର ୩ ଜଣ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାର ୨ ଜଣ ଲେଖାଏଁ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାର ଜଣେ ଲେଖାଏଁ କୋଭିଡରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୧୩ ଜଣ ପୁରୁଷ ରହିଛନ୍ତି। ଗତ ରବିବାର କୋଭିଡରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୪୯୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ରହିଛନ୍ତି ୨୮୩ ଜଣ। ସଂଗରୋଧ କେନ୍ଦ୍ରରୁ ୮୭୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୬୨୩ଟି। ରାଜ୍ୟରେ ମୋଟ ୨୧,୫୨୫ଟି ସକ୍ରିୟ ମାମଲା ରହିଛି। କୋଭିଡ ପଜିଟିଭ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚି ଥିବାବେଳେ ମୋଟ ୧୨,୩୭,୯୭୬ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୫୧ ଜଣ ରହିଛନ୍ତି।

Comment