ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ହାଇପ୍ରୋଫାଇଲ ଭୁବନେଶ୍ଵର କ୍ଲବ ପାଇଲା ନୂଆ ମୁଖିଆ। କ୍ଲବର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ। ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏବଂ ପଶ୍ଚିବ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ପରିଚିତ। ତାଙ୍କ ବିପକ୍ଷରେ ରହିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। କ୍ଲବର ସଭାପତି ଦୌଡ଼ରେ ବାବୁ ଭର୍ସେସ ବାବୁ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଶେଷରେ ବିଜୟ ପଟ୍ଟନାୟକଙ୍କୁ ହରାଇ ବିଜୟ ହୋଇଛନ୍ତି ଅସିତ୍ ତ୍ରିପାଠୀ। ସେହିପରି ତାଙ୍କ ଚେନର ପ୍ରତିଟି ସଦସ୍ୟ ବିଜୟ ଲାଭ କରିଛନ୍ତି।

ଭୁବନେଶ୍ଵର କ୍ଲବର ନୂଆ ସମ୍ପାଦକ ହୋଇଛନ୍ତି ଅର୍ଥ ସଚିବ ବିଶାଲ ଦେବ। ଉପସଭାପତି ଭାବେ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତାଙ୍କୁ ଚୟନ କରାଯାଇଛି। ସେହିପରି ଯୁଗ୍ମ ସଚିବ ହୋଇଛନ୍ତି ଅଶୋକ କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପ୍ରଗତି କୁମାର ମହାନ୍ତି, ଡକ୍ତର ଦେବବ୍ରତ ବିଶ୍ଵାଳ, ପାର୍ଥଜିତ୍ ପଟ୍ଟନାୟକ, ତୁତୁଲ ଦାସ, ସରତ କୁମାର ଭଦ୍ରା, ଡକ୍ତର ପିଭି ମୋହନ ନିର୍ବାଚିତ ହୋଇଛନ୍ତି।

ଏହି କ୍ଲବ ଦାୟିତ୍ଵରେ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ପରେ କ୍ଲବର ନୂଆ ମୁଖିଆ ଖୋଜା ଚାଲିଥିଲା। ଏଥିପାଇଁ ଗତ ଶନିବାରଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ରବିବାର ପର୍ଯ୍ୟନ୍ତ ଚାଲିଥିଲା। କ୍ଲବର ସମୁଦାୟ ସଦସ୍ୟ ସଂଖ୍ୟା ୧୮୫୪ ଜଣ ହୋଇଥିବାବେଳେ, ୧୨୬୭ ଜଣ ଭୋଟ ଦେଇଥିଲେ। ତେବେ ଅସିତ୍ କୁମାର ତ୍ରିପାଠୀ ୨୭୮ ଭୋଟ୍ ବ୍ୟବଧାନରେ ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ ହରାଇ କ୍ଲବର ମୁଖିଆ ପଦ କବ୍ଜା କରିଛନ୍ତି।

ବିଜୟ କୁମାର ପଟ୍ଟନାୟକ ହେଉଛନ୍ତି ୧୯୭୬ ବ୍ୟାଚର ଆଇଏଏସ ଅଫିସର। ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେ ୮ ବର୍ଷ ପୂର୍ବରୁ ଏହି ପଦରୁ ଅବସର ନେଇଥିଲେ। ଏଥି ସହିତ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ୬ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି। ସେ ଭୁବନେଶ୍ଵର କ୍ଲବର ପୂର୍ବତନ ସଭାପତି ପ୍ରିୟବ୍ରତ ପଟ୍ଟନାୟକଙ୍କର ଅତି ଘନିଷ୍ଠ ଥିଲେ। କ୍ଲବ ପାଇଁ ହୋଇଥିବା ନିର୍ବାଚନରେ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ ମିଳିଥିଲା। ଯେଉଁଥି ପାଇଁ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।

Comment