ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇପ୍ରୋଫାଇଲ ଭୁବନେଶ୍ଵର କ୍ଲବର କର୍ମକର୍ତ୍ତା ଚୟନ ନେଇ ନିର୍ବାଚନ ସରିଛି। ଆଉ କିଛି ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ୬ଟା ସୁଦ୍ଧା ଏହାର ଫଳାଫଳା ଜଣାପଡ଼ିବ। ସବୁଠାରୁ ରୋଚକ କର କଥା ହେଉଛି ଏହି କ୍ଲବର ମୁଖିଆ ହେବା ପାଇଁ ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ଅସିତ୍ କୁମାର ତ୍ରିପାଠୀ ଏବଂ ବିଜୟ କୁମାର ପଟ୍ଟନାୟକଙ୍କ ଭିତରେ ଲାଗିଛି ରେସ୍। ଏବେ ସମସ୍ତେ ନିର୍ବାଚନର ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ନିର୍ବାଚନ ପ୍ରକ୍ରିୟା ସରିଛି

କ୍ଲବର କର୍ମକର୍ତ୍ତା ଚୟନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। ରବିବାର ଦିନ ଏହି ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ ଦୁଇ ଦିନରେ ମୋଟ ୧୨୬୭ଜଣ ମତଦାନ କରଥିବା ସୂଚନା ରହିଛି। ସୋମବାର ଅପରାହ୍‌ଣରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ଘୋଷଣା ହେବ।

ତଥ୍ୟ ଅନୁସାରେ ଭୁବନେଶ୍ଵର କ୍ଲବରେ ସମୁଦାୟ ସଦସ୍ୟ ସଂଖ୍ୟା ୧୮୫୪ ରହିଥିବାବେଳେ, ଶନିବାର ଦିନ ୫୬୯ ଜଣ ଏବଂ ରବିବାର ଦିନ ୬୯୮ ଜଣ ଭୋଟ ଦେଇଛନ୍ତି। ଏମାନଙ୍କୁ ମିଶାଇ ସମୁଦାୟ ୧୨୬୭ ଜଣ ସଦସ୍ୟ ଭୋଟ ଦେଇଥିବାବେଳେ ଆଉ ୫୮୭ ଜଣ ସଦସ୍ୟ ଭୋଟ ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇନଥିବା ଜଣାପଡ଼ିଛି।

ଦୁଇ ପ୍ରଶାସନିକ ଅଧିକାରୀଙ୍କ ଭିତରେ ରେସ୍

ଭୁବନେଶ୍ଵର କ୍ଲବର ସଭାପତି ପଦ ଦୌଡ଼ରେ ସାମିଲ ହୋଇଛନ୍ତି ପୂର୍ବତନ ଦୁଇ ପ୍ରଶାସନିକ ଅଧିକାରୀ। ରାଜ୍ୟର ଦୁଇ ପ୍ରଭାବଶାଳୀ ବ୍ୟକ୍ତି ପରସ୍ଫରର ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ମଧ୍ୟରୁ କିଏ ସଭାପତି ହେବେ ସେନେଇ ସମସ୍ତଙ୍କ ଅପେକ୍ଷା।

ସେହିପରି କ୍ଲବର ସମ୍ପାଦକ ପଦବୀକୁ ନେଇ ମୁକାବିଲା ବି ଜୋରଦାର ହୋଇଛି। ସମ୍ପାଦକ ପଦ ପାଇଁ ଅର୍ଥ ସଚିବ ବିଶାଲ ଦେବ ଏବଂ ଅଶୋକ ଚିଞ୍ଚେଲାଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ସେହିପରି ଉପସଭାପତି ପଦ ପାଇଁ ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ଗୁପ୍ତା, ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର, କାର୍ଯ୍ୟକାରୀ କମିଟି ପାଇଁ ଡକ୍ଟର ଦେବବ୍ରତ ବିଶ୍ଵାଳ, ପାର୍ଥଜିତ ପଟ୍ଟନାୟକ, ପ୍ରଗତି କୁମାର ମହାନ୍ତି, ଶରତ ଚନ୍ଦ୍ର ଭଦ୍ର, ସତ୍ୟ ସ୍ମୃତି ମହାନ୍ତି ଏବଂ ତୁତୁଲ କିଶୋର ଦାସ ପ୍ରାର୍ଥ୍ଵୀ ହୋଇଛନ୍ତି।

ଏମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉପସଭାପତି ପଦ ପାଇଁ ତାପେସ ରୟ, ଯୁଗ୍ମ ସଚିବ ପାଇଁ ଜ୍ୟୋର୍ତିମୟ ମହାନ୍ତି, ସଭ୍ୟ ପଦ ପାଇଁ ଅରୁଣ କୁମାର ବର୍ମା, ଡାକ୍ତର ପି ଭି ମୋହନ, ଉଷସୀ ମିଶ୍ର, ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, କଲ୍ୟାଣ ସୁନ୍ଦର ଛୋଟରାୟ ଏବଂ ଗଙ୍ଗାଧର ମହାପାତ୍ର ରହିଛନ୍ତି।

୨୦୧୩ରେ ଶେଷଥର ପାଇଁ ହୋଇଥିଲା ନିର୍ବାଚନ

୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିବା ଭୁବନେଶ୍ଵର କ୍ଲବର ନିର୍ବାଚନ ଶେଷଥର ପାଇଁ ୨୦୧୩ ମସିହାରେ ହୋଇଥିଲା। ଏହା ପରଠାରୁ କେବଳ ଭୋଟିଂ ବ୍ୟବସ୍ଥା ନକରାଯାଇ ବହୁ ମତରେ କ୍ଲବର ସଭାପତି ଏବଂ ଅନ୍ୟ କର୍ମକର୍ତ୍ତା ଚୟନ କରାଯାଉଥିଲା। କିନ୍ତୁ ଏବେ ଦୀର୍ଘ ୮ବର୍ଷର ବ୍ୟବଧାନ ପରେ ପୁଣିଥରେ ଏହି କ୍ଲବର କର୍ମକର୍ତ୍ତା ଚୟନକୁ ନେଇ ନିର୍ବାଚନ ପ୍ରକ୍ରିୟା କରାଯାଇଛି।

କ୍ଲବର ପ୍ରଥମ ସଭାପତି ଥିଲେ ଖଲ୍ଲିକୋଟ ରାଜା

କ୍ଲବ ପ୍ରତିଷ୍ଠା ହେବାପରେ ଏହାର ପ୍ରଥମ ସଭାପତି ହୋଇଥଲେ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ । ସେ ୧୯୫୦ରୁ ୧୯୫୨ ମସିହା ପର୍ଯ୍ୟନ୍ତ ଏହି ପଦରେ ଥିଲେ। ତାଙ୍କ ପରେ ୧୯୫୩ ମସିହାରେ ଜଷ୍ଟିସ ଏଲ ପାଣିଗ୍ରାହୀ ନୂତନ ସଭାପତି ଭାବେ ମନୋନୀତ ହେଲେ। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ମଧ୍ୟ ଏହି ପଦରେ ରହିଥିଲେ। ସେହି ଦିନଠୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି କ୍ଲବର ସଭାପତି ପଦରେ ରହିଆସିଥିବା ସୂଚନା ମିଳିଛି।

୧୯୬୪ ମସିହା ବିଜୁ ପଟ୍ଟନାୟକଙ୍କ ପରେ ଏହି କ୍ଲବରେ ପ୍ରଶାସନିକ ଅଧିକାରୀମାନେ ନିଜର ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି। ସୂଚନା ମୂତାବକ ଦୀର୍ଘ ୩୦ ବର୍ଷ ହେଲା ଏହାର ଦାୟିତ୍ଵ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ ତୁଲାଇ ଆସୁଥିଲେ। କିନ୍ତୁ ତାଙ୍କ ବିୟୋଗ ପରେ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।

Comment