ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁନ୍ଦରଗଡ଼ ଗସ୍ତର ତୃତୀୟ ଦିନ

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ତୃତୀୟ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସୁନ୍ଦରଗଡ଼ ସହରରେ ଥିବା ସର୍ବପୁରାତନ ଅଡିଟୋରିୟମ ମାଦ୍ରିକାଲୋ ଭବନର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ମାଦ୍ରିକାଲୋ ଭବନ ଜିଲ୍ଲାର ଏକ ପୁରାତନ ସାଂସ୍କୃତିକ କେନ୍ଦ୍ର। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଖି ଏହାକୁ ଏକ ଆଧୁନିକ ଅଡିଟୋରିୟମର ରୂପ ଦିଆଯିବ। ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩ କୋଟି ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

‘‘ସୁନ୍ଦରଗଡ଼ର ବିଭିନ୍ନ ଅନୁଷ୍ଠାନ ଏବଂ ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବପୁରାତନ ମାଦ୍ରିକାଲୋ ଭବନର ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି। ଏହି କାମ ସମ୍ପୂର୍ଣ୍ଣ ହେଲେ ବିଭିନ୍ନ ସଭା ସମିତି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସୁବିଧାଜନକ ହୋଇପାରିବ’’, ଏହି ଅବସରରେ କହିଛନ୍ତି ଅସିତ ତ୍ରିପାଠୀ।

ମାଦ୍ରିକାଲୋ ଭବନର ଅଡିଟୋରିୟମକୁ ଶୀତତାପ ନିୟନ୍ତ୍ରିତ କରାଯିବ। ଏହାସହ ଏଠାରେ ପ୍ରାୟ ୬୫୦ ଦର୍ଶକ ବସିବା ଲାଗି ବ୍ୟବସ୍ଥା କରାଯିବ। ଏଠାରେ ପାନୀୟ ଜଳ ଏବଂ ଶୌଚାଳୟ ପାଇଁ ବ୍ୟବସ୍ଥା କରାଯିବ। ଏଠାରେ ଉନ୍ନତମାନର ସାଉଣ୍ଡ ସିଷ୍ଟମ କରାଯିବା ସହ ଅଡିଟୋରିୟମର ରୂପରେଖକୁ ବିଶେଷ ଆକର୍ଷଣୀୟ କରାଯିବ।

ଅସିତ ତ୍ରିପାଠୀ ତୃତୀୟ ଦିନ ଗସ୍ତ ଅବସରରେ ବଡ଼ଗାଁଠାରେ ଥିବା ଆଇଟିଆଇ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ତାଲିମ ବିଷୟରେ ସେ ପଚାରି ବୁଝିଥିଲେ। ବିଶେଷ କରି ଏହି କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନରେ ବିଶେଷ ଭୂମିକା ଗ୍ରହଣ କରୁଥିବା ଜାଣି ସେ ସନ୍ତୋଷ ପ୍ରକାଶ କରିଥିଲେ। ଆଇଟିଆଇ ପକ୍ଷରୁ ଅସିତ ତ୍ରିପାଠୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେ ଆହୁରି କହିଥିଲେ ଯେ, ସୁନ୍ଦରଗଡ଼ ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଆର୍ଥିକ ସହାୟତାକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାଲିଛି।

ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଡକ୍ଟର ଅଜିତ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ, ପୂର୍ବତନ ବିଧାୟକ ମଙ୍ଗଳା କିଷାନ ଓ ଡକ୍ଟର ପ୍ରଫୁଲ୍ଲ ମାଝି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ସୁନ୍ଦରଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଡକ୍ଟର ବିଜ୍ଞାନାନନ୍ଦ ମହାନ୍ତି, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ଗାଁ ଆଇଟିଆଇ କେନ୍ଦ୍ର ପରିଦର୍ଶନ ବେଳେ ବ୍ଲକ ଅଧ୍ୟକ୍ଷ ଦୁଲାରୀ ସୋରେନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ବିଡିଓ କ୍ଷମାନିଧି ଭୋଇ, ବଡ଼ଗାଁ ଆଇଟିଆଇ କେନ୍ଦ୍ରର ପ୍ରତିଷ୍ଠାତା ତଥା ସମ୍ପାଦକ ରାମଚନ୍ଦ୍ର ନାଏକ, ଅଧ୍ୟକ୍ଷ ଡକ୍ଟର ଅରୁଣ ନାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ବୁଧବାର ଦିନ ସେ ବଣାଇଁ ଏବଂ ଲହୁଣୀପଡ଼ା ବ୍ଲକ ଗସ୍ତ କରି ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।

ଗୁରୁବାର ଦିନ ସେ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏମଏସଏମଇ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଭିତ୍ତିକ ଉଦ୍ୟୋଗର ବିକାଶ କରାଯାଇ କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ତା’ ଉପରେ ଧ୍ୟାନ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାସହ ସେ ରାଉରକେଲାରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।

ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିର ଆର୍ଥିକ ସହାୟତାରେ ଓଏସଏପି ବାଟାଲିୟନ ପରିସରରେ ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ। ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ସ୍ନାତ୍ତକୋତର ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ସାଇନ୍ସ ବିଭାଗର ଉଦଘାଟନ କରିଥିଲେ। ଏହାସହ ସେ ବିପିୟୁଟି କ୍ୟାମ୍ପସରେ ଥିବା ସିପେଟ୍ କେନ୍ଦ୍ରକୁ ଯାଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ।

Tags: #Sundargarh #WODC #WODCChairman #AsitTripathy #Review

LEAVE A REPLY

Please enter your comment!
Please enter your name here