ଓଡ଼ିଶାଲାଇଭ୍ ବ୍ୟୁରୋ

  • ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ)ର ଚତୁର୍ଥ ସମ୍ମିଳନୀ
  • ହୋଟେଲ ଶିଳ୍ପ ଉପରେ ଥିବା ୨୮% ଜିଏସ୍‌ଟିକୁ ୫% କରିବାକୁ ଦାବି
  • ଓଡ଼ିଶା ପର୍ଯ୍ୟଟନର ପ୍ରସାର ପାଇଁ କେନ୍ଦ୍ରକୁ ଅଧିକ ଅର୍ଥ ଦାବି
  • ସାରା ଦିନ ଚାଲିବ ଏହି ସମ୍ମିଳନୀ
  • ଓଡ଼ିଶାଲାଇଭ୍ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ ପ୍ଲାଟ୍‌ଫର୍ମରେ କାର୍ଯ୍ୟକ୍ରମର ସିଧାପ୍ରସାରଣ

ଓଡ଼ିଶା ହେଉଛି ଭାରତୀୟ ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଆକର୍ଷଣ। ଏହାର କଳା ଓ ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ଅପୂର୍ବ ପ୍ରାକୃତିକ ଶୋଭା ଆଜି ପର୍ଯ୍ୟଟନ କ୍ଷେତ୍ର ପାଇଁ ସବୁଠାରୁ ଆକର୍ଷଣ ହୋଇପାରିଛି। ତେଣୁ, ଓଡ଼ିଶା ପର୍ଯ୍ୟଟନର ବିକାଶ ଓ ପ୍ରସାର ପାଇଁ ପ୍ରକୃତି ଓ ସଂସ୍କୃତି ଦୁଇଟି ବିଷୟ ଉପରେ ଅତ୍ୟନ୍ତ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି।

ବୁଧବାର ଦିନ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ) ପକ୍ଷରୁ ଭୁବନେଶ୍ୱରରେ ଦିନିକିଆ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଆୟୋଜନ କରାଯାଇଛି। ଏହାର ଉଦଘାଟନୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ କହିଥିଲେ ଯେ, ଅର୍ଥର ଅଭାବ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ କେବେ ବାଧକ ହେବ ନାହିଁ। ତେବେ ଆମେ କେବଳ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଉପରେ ଜୋର ନଦେଇ ଉତ୍କଳର ପ୍ରାକୃତିକ ସମ୍ପଦ ଓ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟର ପ୍ରସାର କଲେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାରୋର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେକେ ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶା ପର୍ଯ୍ୟଟନ ବିକାଶ ପାଇଁ ଭିତ୍ତିଭୂମିର ବିକାଶ ହେବା ଜରୁରୀ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ଷ୍ଟାର ଏବଂ ବିଭିନ୍ନ ବର୍ଗର ହୋଟେଲର ଆବଶ୍ୟକତା ରହିଛି।

ଏହି ଅବସରରେ ବର୍ତ୍ତମାନ ଭାରତରେ ହୋଟେଲ ଶିଳ୍ପ କ୍ଷେତ୍ରରେ ପ୍ରଚଳିତ ଜିଏସଟି ପ୍ରସଙ୍ଗ ଉଠାଇଥିଲେ ହାରୋ ଅଧ୍ୟକ୍ଷ। ସେ କହିଥିଲେ ଯେ, ଦିନକୁ ୭ହଜାର ୮୦୦ଟଙ୍କାର ରୁମ୍ ରେଣ୍ଟ ଥିବା ହୋଟେଲରେ ରହିବା ପାଇଁ ଗ୍ରାହକଙ୍କୁ ୨୮% ଜିଏସଟି ଦେବାକୁ ପଡ଼ୁଛି। ଏହାକୁ ୫ ପ୍ରତିଶତ କମାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ ଯେ, ପୁରୀକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ପୁରୀର ଏହି ନୂଆ ରୂପ ପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେହିପରି ଓଡ଼ିଶାର ଅନ୍ୟ ପର୍ଯ୍ୟଟନ ସମ୍ପଦର ବିନିଯୋଗ ଓ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଫାଇଭ୍-ଟିର ପ୍ରୟୋଗ କରାଯାଉଛି। ପୁରୀ, କୋଣାର୍କ ଏବଂ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରର କିଭଳି ବିକାଶ ହୋଇପାରିବ ସେଥିପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପର୍ଯ୍ୟଟନ, କ୍ରୀଡ଼ା ବିକାଶ ସଚିବ ବିଶାଳ ଦେବ।

ଏହି ଅବସରରେ ସେ କହିଥିଲେ ଯେ, ଚିଲିକା ହେଉଛି ଓଡ଼ିଶା ପର୍ଯ୍ୟଟନର ସୁନା ଖଣି। ଆଗାମୀ ଦିନରେ ଏହାର ଅଖପାଖରେ ହୋଟେଲ, ରିସର୍ଟ, ୱାଟର ସ୍ପୋର୍ଟସ ଏବଂ ଅନ୍ୟ ପର୍ଯ୍ୟଟନ ଭିତ୍ତିଭୂମି ତିଆରି ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ପର୍ଯ୍ୟଟନ ଅଂଶୀଦାରଙ୍କ ସହ ସରକାର କଥାବାର୍ତ୍ତା କରୁଛନ୍ତି।

ଆଗାମୀ ଦିନରେ ପୁରୀ, କୋଣାର୍କ ଏବଂ ଭୁବନେଶ୍ୱରରେ କେତେକ ଜାତୀୟ ହୋଟେଲ ଚେନ୍ ଷ୍ଟାର ହୋଟେଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ବିଭାଗ ହାଇସ ବୋଟ୍, କାରଭ୍ୟାନ ଟୁରିଜିମ୍ ଏବଂ ହେରିଟେଜ୍ ହୋଟେଲ୍  ଓ ହୋମ୍ ଷ୍ଟେ ଭଳି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି, ଯାହାକି ଭବିଷ୍ୟତରେ ଓଡ଼ିଶାରେ ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭବ ଦେଇପାରିବ ବୋଲି ବିଶାଳ ଦେବ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରୂପିନ୍ଦର ବ୍ରାର କହିଥିଲେ ଯେ, ଓଡ଼ିଶା ହେଉଛି ଭାରତ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ବିକାଶ ପାଇଁ କେନ୍ଦ୍ର ବିଭିନ୍ନ ପଦକ୍ଷେପ ନେଉଛି। ସେହିପରି ହୋଟେଲ ଶିଳ୍ପ ଉପରେ ଥିବା  ୨୮ ପ୍ରତିଶତ ଜିଏସ୍‌ଟି ସମ୍ପର୍କରେ ସେ କହିଥିଲେ ଯେ, ଏ ବାବଦରେ କେନ୍ଦ୍ର ସରକାର ସକାରତ୍ମକ ପଦକ୍ଷେପ ଗ୍ରହଣ କରିପାରନ୍ତି।

ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ) ପକ୍ଷରୁ ଆୟୋଜିତ ଚତୁର୍ଥ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଏହି ପ୍ରଥମ ଅଧିବେଶନ ଅବସରରେ ‘ୱଣ୍ଡର ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ଦିନିକିଆ କାର୍ଯ୍ୟକ୍ରମର ସୋସିଆଲ ମିଡିଆରେ ସିଧାପ୍ରସାରଣ କରାଯାଉଛି। ଓଡ଼ିଶା ଟୁରିଜିମ୍  କନକ୍ଲେଭ୍‌ର ଡିଜିଟାଲ ମିଡିଆ ପାର୍ଟନର ଥିବା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ହୋଟେଲ ଓ ଟ୍ରାଭେଲ ଶିଳ୍ପ ସହ ସଂପୃକ୍ତ ଉଦ୍ୟୋଗୀ ଏବଂ ପେସାଦାର ଯୋଗ ଦେଇଛନ୍ତି। ତା’ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ , ଓଡ଼ିଆ ପର୍ଯ୍ୟଟନ ବିଭାଗ ଓ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି।

Comment