ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍ ପୋଲ୍‌କୁ ନିଷିଦ୍ଧ କରାଯାଇଛି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ ବ୍ୟୁରୋ, ରେଡିଓ ଏବଂ ଟିଭି ଚ୍ୟାନେଲ ଏକଜିଟ ପୋଲ ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଯାହାକି ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟରେ ଏହି ନିଷେଧାଦେଶ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେପେଟ ଉପନିର୍ବାଚନ ପାଇଁ ୮ ଦିନ ଧରି ଚାଲିଥିଲା ପ୍ରଚାର, ଯାହାକି ସୋମବାର ସରିଛି। ବିଭିନ୍ନ ଦଳର ନେତାମାନେ ଜୋରଦାର ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିଲେ। ସେପ୍ଟେମ୍ବର ୩୦ରେ ହେବାକୁ ଥିବା ନିର୍ବାଚନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏଥି ସହିତ ମଙ୍ଗଳବାର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ସମସ୍ତ ବୁଥ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

ମତଦାନ ହେବାକୁ ଥିବା ମୋଟ ୩୪୮ଟି ବୁଥ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି  ସମ୍ବେଦନଶୀଳ ଘୋଷିତ ହୋଇଛି। ଏଥିସହ ୧୭୫ଟି ବୁଥରେ ୱେବକାଷ୍ଟିଙ୍ଗ ହେବ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହେବ ଏବଂ ୧୨ଟି ବୁଥରେ ଭିଡ଼ିଓ ଉତ୍ତୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

Comment