ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ସରଗରମ ଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ରାଜନୀତି କ୍ଷେତ୍ରରେ ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଓ ବିଜେଡି ପରସ୍ଫର ଉପରେ ଦୋଷ ଲଦାଲଦି ହେଉଛନ୍ତି। ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଏଭଳି ବିସ୍ଫୋରଣ ଜାଣିଶୁଣି କରାଯାଇଥିବା କହିଛି ବିଜେପି। ସେପଟେ ବିଜେଡି ପକ୍ଷରୁ ଏହାକୁ ବିରୋଧ କରାଯାଇ ଓଲଟା ବିଜେପି ଉପରେ ଦୋଷ ଲଦି ଦିଆଯାଇଛି।

ବିଳମ୍ବିତ ରାତିରେ ବିସ୍ଫୋରଣ

ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଥାନାର ଛାତ ଭୁଷୁଡି ପଡିବା ସହ କାନ୍ଥ ସବୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏଥି ସହିତ ଥାନାରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁସ ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ପୁରୀ ଏସପି ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ସୋମବାର ରାତି ପ୍ରାୟ ୧୨ଟା ବେଳକୁ ଏକ ଶବ୍ଦ ଶୁଣାଯିବା ସହ ଭୂକମ୍ପ ପରି ଅନୁଭୂତ ହୋଇଥିଲା। ବାହାରକୁ ଆସି ଦେଖିଲା ବେଳକୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଜଣାପଡ଼ିଥିଲା କି, ନିକଟରେ ଥିବା ଥାନାରେ ବିସ୍ଫୋରଣ ଘଟିବା କାରଣରୁ ଏଭଳି ହୋଇଛି।

ଜବତ ହୋଇଥିବା ବିସ୍ଫୋରକ ଫୁଟି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଥିବାବେଳେ ଏପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ଅଘଟଣ ଘଟିବା ସମୟରେ ପୋଲିସ କର୍ମଚାରୀ ଥାନା ଭିତରେ ଉପସ୍ଥିତ ନଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସେପଟେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି, “ଆଡିସନାଲ ଏସପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜବତ ବିସ୍ଫୋରକକୁ କାହିଁକି ନିଷ୍କ୍ରିୟ କରାଯାଇ ନଥିଲା, ତା’ର ତଦନ୍ତ ମଧ୍ୟ କରାଯିବ।”

ସେ ଆଉ ମଧ୍ୟ କହିଛନ୍ତି, “ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ।”

ଘଟଣାର ତଦନ୍ତ ପାଇଁ ଫରେନସିକ ଟିମ ସେଠାରେ ପହଞ୍ଚିଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।ବଳଙ୍ଗା ଥାନା ବିସ୍ଫୋରଣକୁ ଦୁର୍ଘଟଣାର ରୂପ ଦିଆଯାଉଛି – ବିଜେପି

ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଘଟଣାକୁ ନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ପିପିଲିରେ ଏଭଳି ଗ୍ୟାଙ୍ଗଓ୍ବାର ବହୁ ବର୍ଷ ହେଲା ଚାଲି ଆସୁଛି। ବୋମା ମାଡ଼ଠାରୁ ଆରମ୍ଭ କରି ଗୁଳି ଫୁଟାଇବା, ବୁଥ ହାତେଇବା, ଲୋକଙ୍କୁ ମାରପିଟ୍ କରିବା ଏସବୁ ଘଟଣା ପିପିଲି ପାଇଁ ନୂଆ ନୁହେଁ। ନିକଟରେ ମଧ୍ୟ କିଛି ଦିନ ତଳେ ସାତଶଙ୍ଖଠାରେ ବିଜେପିର ଏକ କାର୍ଯ୍ୟାଳୟ ଉପରେ ବୋମା ମାଡ଼ କରାଯାଇଥିଲା। ଏହାପରେ ଏବେ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ସେମାନେ ଭାବୁଛନ୍ତି ଯଦି ରକ୍ଷକ ଏଠି ସୁରକ୍ଷିତ ନୁହଁନ୍ତି, ତେବେ ସେମାନେ କ’ଣ ସୁରକ୍ଷା ପ୍ରଦାନ କରିବେ?”

ସେ ଆଉ ମଧ୍ୟ କହିଛନ୍ତି, “ଆଉ ଦିନକ ପରେ ପିପିଲିରେ ଉପନିର୍ବାଚନ ହେବ। ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧୀନରେ ରହିଛି। ତେଣୁ ଜାଣିଶୁଣି ଏଭଳି ବିସ୍ଫୋରଣ ଘଟାଇ ତାକୁ ଦୁର୍ଘଟଣାର ରୂପ ଦିଆଯାଉଛି। ଏଭଳି କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବିଜେଡ଼ି।”ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି – ବିଜେଡି

ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର।

ସେ କହିଛନ୍ତି, “ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ସମ୍ବିତ ପାତ୍ର ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଅବାନ୍ତର। ଯଦି ତାଙ୍କ ପାଖରେ ଠୋସ୍ ପ୍ରମାଣ ଅଛି, ତେବେ ସେ ତାକୁ ପ୍ରକାଶ କରନ୍ତୁ। ଅଯଥାରେ ଏମିତି ଦୋଷାରପ କରନ୍ତୁ ନାହିଁ। ପୋଲିସ ପ୍ରଶାସନର ଦାୟିତ୍ଵ ବିସ୍ଫୋରଣ କାହିଁକି ଘଟିଲା ଏବଂ କେମିତି ଘଟିଲା ତାହାର ତଦନ୍ତ  କରିବା। ବିଜେପି ଜାଣି ସାରିଲାଣି କାହାର ସ୍ଥିତି କ’ଣ ରହିଛି। ତେଣୁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି।”

Comment