ଓଡ଼ିଶାଲାଇଭ୍ ବ୍ୟୁରୋ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଛି ପିପିଲି ଉପନିର୍ବାଚନ। ଭୋଟରମାନେ ସମୁଦାୟ ୩୪୮ ବୁଥରେ ଭୋଟ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ଦେଇଥିଲେ। ଏଥି ସହ ଆଜିର ନିର୍ବାଚନ ପ୍ରକ୍ରିୟା ସରିଛି। ଏବେ ଅକ୍ଟୋବର ୩ରେ ପ୍ରକାଶ ପାଇବାକୁ ଥିବା ଫଳାଫଳ ଉପରେ ସମସ୍ତଙ୍କ ନଜର। କାରଣ ଦୀର୍ଘ ଦିନ ଧରି ଖାଲି ରହିଥିବା ପିପିଲିର ବିଧାୟକ ଆସନ ସେହି ଦିନ ପୂରଣ ହେବ। ପିପିଲିବାସୀ ପାଇବେ ନୂଆ ମୁଖିଆ।

ଗୁରୁବାର ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା, ଯାହା ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା। ତେବେ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ଦେଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ, ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ, ଅପରାହ୍ନ ୩ଟା ସୁଦ୍ଧା୫୯.୭୨ ପ୍ରତିଶତ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ମିଳିଛି।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏଥି ସହିତ ୨୦୧ଟି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଥିଲା। ସେହିପରି ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଥିଲେ। କରୋନା କାଳରେ ଉପନିର୍ବାଚନ ହେଉଥିବାରୁ ସବୁ ବୁଥରେ ଭୋଟରମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଥିଲା। ପ୍ରତି ବୁଥରେ କୋଭିଡ ନୋଡାଲ ଅଧିକାରୀ ରହିଥିଲେ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଡବଲ ଡୋଜ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଥିଲେ।

୨୦୨୦ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ୨୦୨୧ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଗଲା। ଏହାପରେ ରାଜ୍ୟରେ କରୋନା ସଂକ୍ରମଣରୁ ଭୟାବହତା କାରଣରୁ ମେ’ ମାସରେ ହେବାକୁ ଥିବା ଉପନିର୍ବାଚନ ତାରିଖକୁ ପୁଣିଥରେ ସ୍ଥଗିତ ରଖାଯାଇଥିଲା। ଆଜି ସମସ୍ତ କରୋନା କଟକଣା ଭିତରେ ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ କରିଛନ୍ତି।

ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

Comment