ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ପିପିଲିରେ ହେବ ଭୋଟ ଗଣତି। ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ବିଧାୟକ ପଦବୀ ପୂରଣ ନେଇ ପିପିଲିବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏପଟେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା। ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ୍ ଭୋଟ ଗଣତି ହେବ। ଏଥିପାଇଁ ୩ଟି ହଲର ବ୍ୟବସ୍ଥା କରାଯାଇଛି। ଦୁଇଟି କେନ୍ଦ୍ରରେ ଇଭିଏମ୍ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲାଟ ଗଣିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ସେ କହିଛନ୍ତି, “ଭୋଟ ଗଣତି ପାଇଁ ୧୪ଟି ଟେବୁଲ ପ୍ରସ୍ତୁତ କରାଯାଇଛି। ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ। ଟେବୁଲଗୁଡ଼ିକରେ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯିବ। ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ ଏବଂ ଏହାର ଅଧଘଣ୍ଟା ପରେ ୮.୩୦ ମିନିଟ ସମୟରେ ଇଭିଏମ ଗଣତି ଆରମ୍ଭ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ କଟକଣା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସେ ଆଉ ମଧ୍ୟ କହିଛନ୍ତି, “ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ହେଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଭୋଟ ଗଣତି ସମୟରେ ଉପସ୍ଥିତ ରହିପାରିବେ। ଏଥି ସହ ଗଣମାଧ୍ୟମର କର୍ମଚାରୀମାନେ କେବଳ କ୍ୟାମେରା ନେଇ ଗଣତି ସମୟରେ ଉପସ୍ଥିତ ରହିବେ।”

ଚଳିତ ବର୍ଷ ୩୪୮ଟି ବୁଥରେ ୭୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ପିପିଲିର ନୂଆ ମୁଖିଆ କିଏ ହେବେ ତାହା ରବିବାର ଜଣାପଡ଼ିବ।

Comment