ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା। ପିପିଲିବାସୀ ପାଇଲେ ନୂଆ ବିଧାୟକ। ପ୍ରାୟ ୨୧ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ।

ବିଜେଡିକୁ ୨୫ ରାଉଣ୍ଡ ଶେଷ ସୁଦ୍ଧା ୯୬ ହଜାର ୧୯୬ ଭୋଟ ମିଳିଥିବା ବେଳେ ବିଜେପିକୁ ୭୫ ହଜାର ୫୮୯ ଏବଂ କଂଗ୍ରେସକୁ ୪୨୮୮ ଖଣ୍ଡ ଭୋଟ ମିଳିଛି।

ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ଆଗରେ ରହିଆସିଥିଲା ବିଜେଡି। ସେହି ସଂଖ୍ୟାକୁ ଦେଖି ଅନୁମାନ କରାଯାଉଥିଲା କି ବିଜେଡି ପିପିଲର ମଙ୍ଗ ଧରିବ। ଏବେ ସେହି ଅନୁମାନ ସତ ହୋଇଛି। ବିଜେଡି ଦଳର ସମର୍ଥକମାନେ ଖୁସି ମନାଉଛନ୍ତି। ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ନିଜ ବିଜୟକୁ ନେଇ ବହୁତ ଖୁସି ରହିଛନ୍ତି।

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହୋଇଥିଲା। ୨୦୨୦ ବର୍ଷ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ୨୦୨୧ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଗଲା।

ଏହାପରେ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଯୋଗୁଁ ମେ’ ମାସରେ ହେବାକୁ ଥିବା ଉପନିର୍ବାଚନ ତାରିଖକୁ ପୁଣିଥରେ ସ୍ଥଗିତ ରଖାଯାଇଥିଲା।

ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ଏହିପରି ବିଭିନ୍ନ ଦଳରୁ ଆଉ ୭ ଜଣ ପ୍ରାର୍ଥୀ ମଧ୍ୟ ରହିଥିଲେ। ପିପିଲିବାସୀ ସମସ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ସମର୍ଥନ ଜଣାଇ ବିଧାୟକ କରିଛନ୍ତି।

LEAVE A REPLY

Please enter your comment!
Please enter your name here