ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ପିପିଲି ବିଜୟ ପରେ ବିଜେଡିରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବା ପାଇଁ ଯାଉଛି ଏହା ଆଲୋଚନା ହେଉଛି।

ଉଲ୍ଲେଖ କରାଯାଇପାରେ ଯେ ଆସନ୍ତା ବର୍ଷ ବିଜେଡି ପ୍ରତିଷ୍ଠା ହେବାର ରଜତ ଜୟନ୍ତୀ ପାଳନ କରାଯିବ। ଏହି ୨୪ ବର୍ଷ ମଧ୍ୟରେ ଶାସକ ଦଳ ଯେଉଁ ରାଜନୈତିକ ସଫଳତା ହାସଲ କରିଆସିଛି ତାହା ଓଡ଼ିଶା ରାଜନୀତିରେ ବିରଳ।ପିପିଲି ବିଜୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଉପନିର୍ବାଚନ ଜିତିବା ଏବେ ଅନ୍ୟ କୌଣସି ଦଳ ପାଇଁ ଆଉ ସହଜ ନୁହେଁ। ଗତ ୪ଟି ଉପନିର୍ବାଚନରୁ ଏହାର ପ୍ରମାଣ ମିଳିସାରିଛି। ବିଜେଡି ପାଇଁ ନିର୍ବାଚନରେ ଜିତିବା ଏଭଳି ଏକ ଅଭ୍ୟାସଗତ ଘଟଣାରେ ପରିଣତ ହୋଇଯାଇଛି ଯେ ଅନେକ ସମୟରେ ନିର୍ବାଚନରେ ଯେଉଁ ଉତ୍କଣ୍ଠା ରହିବା କଥା ତାହା ରହୁନାହିଁ!

ପିପିଲି ଉପନିର୍ବାଚନର ଅନ୍ୟ ଗୋଟିଏ ଦିଗ ହେଉଛି ନିର୍ବାଚନ ପ୍ରଚାରରୁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରେଇ ରଖିଥିଲେ। ଏମିତି ବି ହୋଇପାରେ ଯେ ରୁଦ୍ର ମହାରଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାର ଆବଶ୍ୟକତା ନଥିଲା। ନିର୍ବାଚନ ଘୁଞ୍ଚିବା ପୂର୍ବରୁ ଏପ୍ରିଲ ୧୨ରେ ନବୀନ ଥରକ ପାଇଁ କେବଳ ଭର୍ଚ୍ଚୁଆଲ ପ୍ରଚାର କରିଥିଲେ। ଅବଶ୍ୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ମଧ୍ୟ ନବୀନ ଭୋଟରଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଦେଇ ଦଳର ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ।ପିପିଲି ଉପନିର୍ବାଚନ ଫଳ ବିଜେଡିର ରଣନୀତି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସଙ୍କେତ ମିଳିଛି। ଚଳିତ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ନବୀନ ପଟ୍ଟନାୟକ ପ୍ରଚାରରେ ନଯିବା ଦ୍ୱାରା ଗୋଟିଏ ବାର୍ତ୍ତା ଯାଉଛି ଯେ ରାଜ୍ୟରେ ଯେଉଁଠି ବି ନିର୍ବାଚନ ହେବ ଦଳର ମୁଖ୍ୟଙ୍କ ଅନୁପସ୍ଥିତିରେ ବିଜେଡି ପ୍ରାର୍ଥୀ ଜିତିବା ସୁନିଶ୍ଚିତ। ଏହାର ଅର୍ଥ ବିଜେଡିର ସାଙ୍ଗଠନିକ ଶକ୍ତି ଖୁବ ସୁଦୃଡ଼ ଏବଂ ପ୍ରାର୍ଥୀଙ୍କ ଜିତିବା ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଭୋଟରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। ବିଧାନସଭା ଓ ଲୋକସଭା ନିର୍ବାଚନକୁ ଛାଡି ଉପନିର୍ବାଚନ ମାନଙ୍କରେ ନବୀନ ଓ ଦଳର ଲୋକପ୍ରିୟତା ହିଁ ଯଥେଷ୍ଟ, ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିସାରିଛି।

ପିପିଲି ଉପନିର୍ବାଚନ ପରେ ଶାସକ ଦଳରେ କ’ଣ ଘଟିବା ପାଇଁ ଯାଉଛି? ଗୋଟିଏ ଆକଳନ କରାଯାଉଛି ଯେ ବିଜୁ ଜନତା ଦଳରେ ଯୁବକ ଓ ଦ୍ଵିତୀୟ ପିଢିର ନେତାଙ୍କ ପାଇଁ ରାସ୍ତା ପରିଷ୍କାର ହେବାରେ ଲାଗିଛି। ଅନ୍ୟ ଭାବରେ କହିଲେ, ବିଜୟ ପରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ନବୀନଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଅଯଥା ଭାରାକ୍ରାନ୍ତ କରିବା ପାଇଁ ଦଳ ଓ ସରକାରର ପରିଚାଳକମାନେ ଆଉ ଚାହୁଁନାହାନ୍ତି। ଏପରିକି ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ନବୀନ ପ୍ରଚାରରେ ଯାଇନପାରନ୍ତି। ମନେ ପକାଇ ଦିଆଯାଇପାରେ ଯେ ଆସନ୍ତା ୧୬ ତାରିଖରେ ନବୀନ ୭୫ବର୍ଷ ବୟସରେ ପଦାର୍ପଣ କରିବେ।ପିପିଲି ବିଜୟ ପରେ ସବୁଠାରୁ ବଡ଼ ସନ୍ଦେସ ହେଉଛି ପରିଣତ ବୟସ ଯୋଗୁଁ ନବୀନ ଏବେ କେବଳ ଜଣେ ଜନନାୟକର ଭୂମିକା ଗ୍ରହଣ କରିବେ ଓ ଦୈନନ୍ଦିନ ରାଜନୀତିକ କାର୍ଯ୍ୟକଳାପଠାରୁ ଦୂରରେ ରହିବେ। ଏହାର ଉଦାହରଣ ନିକଟରେ ଯେତେବେଳେ ନବୀନ ବଲାଙ୍ଗୀର ଗସ୍ତରେ ଯାଇଥିଲେ ବିଜେଡିର ରାଜନୈତିକ ମଞ୍ଚରେ ବିଜେପି ଓ କଂଗ୍ରେସର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ସର୍ବାଧିକ ସମୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକ ଆଗାମୀ ଦିନରେ କ’ଣ ଚାହୁଁଛନ୍ତି ଏହି ସବୁ ଘଟଣାରୁ କିଛି କିଛି ସଙ୍କେତ ମିଳୁଛି।

Comment