ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ପଦ ଓ ଗୋପନୀୟତାର ସହ ମଙ୍ଗଳବାର ବିଧାନସଭା ପରିସରରେ ଶପଥ ପାଠ କରାଇଛନ୍ତି।

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହୋଇଥିଲା ଏବଂ ଅକ୍ଟୋବର ୩ରେ ଫଳାଫଳ ଘୋଷଣା କରାଯାଇଥିଲା। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ମହାରଥୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇ ବିଜୟ ଲାଭ କରିଥିଲେ। ସେହି କ୍ରମରେ ରୁଦ୍ର ପ୍ରତାପ ଆଜି ପିପିଲିର ନବ ନିର୍ବାଚିତ ବିଧାୟକ ଭାବେ ଶପଥ ନେଇଛନ୍ତି।

ଶପଥ ନେବା ପରେ ରୁଦ୍ର କହିଛନ୍ତି, “ବାପାଙ୍କ ଦେହାନ୍ତ ପରେ ଅଧୁରା ରହିଥିବା କାମ ପ୍ରଥମେ ପୂରା କରିବି। ସବୁ ପଞ୍ଚାୟତକୁ ଯାଇ ଲୋକମାନଙ୍କ ସମସ୍ୟା ବୁଝି ସମାଧାନ କରିବାକୁ ଚେଷ୍ଟା କରିବି। ପ୍ରଲୋଭନ କି ପ୍ରତିଶ୍ରୁତି ନୁହେଁ ମାଟି ପାଇଁ କାମ କରିବାକୁ କହିଥିଲି। ତାହା ମୁଁ ନିଶ୍ଚୟ କରିବି। ପିପିଲିବାସୀଙ୍କ ଭଲପାଇବା ଓ ଭରସାକୁ କେବେ ଭାଙ୍ଗିବି ନାହିଁ। ମୋ ଉପରେ ଭରସା ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହି ଆସନ ପୂରଣ କରିବା ପାଇଁ ୨୦୨୧ ଏପ୍ରିଲ ୧୭ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। କିନ୍ତୁ ଭୋଟ ଗ୍ରହଣର କିଛି ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ତେଣୁ ନିର୍ବାଚନ ତାରିଖକୁ ପୁଣିଥରେ ସ୍ଥଗିତ ରଖାଗଲା। ଏହାପରେ କରୋନା କାରଣରୁ ମେ’ ମାସରେ ହେବାକୁ ଥିବା ନିର୍ବାଚନ ଅକ୍ଟୋବର ୩୦ରେ କରାଗଲା।

ଏହି ଉପନିର୍ବାଚନରେ ବିଜେଡି ପକ୍ଷରୁ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିଲେ। ସେହିପରି ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ବିଶ୍ଵକେଶନ ହରିଚନ୍ଦନ ପ୍ରାର୍ଥୀ ହୋଇଥିଲେ।

LEAVE A REPLY

Please enter your comment!
Please enter your name here